
ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନ ମହାନ୍ତି ଗିରଫ ହେବା ସହ ନିଲମ୍ବିତ ହେଲା ପରେ ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ବୋର୍ଡରେ ନିଯୁକ୍ତି ନେଇ ପରିବର୍ତ୍ତନ ଆଣିଛନ୍ତି। ଅମୂଲ୍ୟ କୁମାର ପ୍ରଧାନଙ୍କୁ ବୋର୍ଡର ଉପସଭାପତି ପଦରେ ନିଯୁକ୍ତ କରାଯାଇଛି। ଏହା ସହିତ ଚକ୍ରଧର ବେହେରାଙ୍କୁ ନୂଆ ଡେପୁଟି କଣ୍ଟ୍ରୋଲ ଓ ଅମ୍ରିତା ପ୍ରୀତିନନ୍ଦାଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।
ନିହାର ରଞ୍ଜନ ମହାନ୍ତି ଗିରଫ ହେବା ସହ ନିଲମ୍ବିତ ହେଲା ପରେ ବୋର୍ଡର ସମ୍ବଲପୁର ଆଞ୍ଚଳିକ କାର୍ୟ୍ୟାଳୟରେ କାର୍ୟ୍ୟରତ ଅମୂଲ୍ୟ କୁମାର ପ୍ରଧାନଙ୍କୁ କଟକ ବଦଳି କରିଛନ୍ତି ରାଜ୍ୟ ସରରକାର। ଶ୍ରୀ ପ୍ରଧାନଙ୍କୁ ସରକାର ବୋର୍ଡର ନୂଆ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଚକ୍ରଧର ବେହେରାଙ୍କୁ ନୂଆ ଡେପୁଟି କଣ୍ଟ୍ରୋଲ ଓ ଅମ୍ରିତା ପ୍ରୀତିନନ୍ଦାଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି।
ସୂଚନାଯୋଗ୍ୟ, ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଅଗଷ୍ଟ ୩ ତାରିଖରେ ଗିରଫ କରିଥିଲା। ଏହା ପରେ ତାଙ୍କୁ ୫ ତାରିଖରେ ସସପେଣ୍ଡ କରିଥିଲେ ସରକାର। ନିହାର ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଜେଲରେ ଅଛନ୍ତି। ଘଟଣାରେ ଏ ପର୍ୟ୍ୟନ୍ତ ୮ ଜଣ ଗିରଫ ହୋଇ ସାରିଛନ୍ତି।




