
କୋଣାର୍କ: ସୂର୍ଯ୍ୟମନ୍ଦିର ଗର୍ଭଗୃହକୁ ଟନେଲ୍ ନିର୍ମାଣ ପାଇଁ ଆଜିଠୁ କାମ ଆରମ୍ଭ ହୋଇଛି । ଗର୍ଭଗୃହର ବାଲି ଏହି ବାଟ ଦେଇ ବାହାରିବ । ବାଲିକଢ଼ା ପାଇଁ ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ମନିଟରିଂ ଟିମ୍ ଅନୁଧ୍ୟାନ କରୁଛି । ଆସନ୍ତା ମେ ପ୍ରଥମ ସପ୍ତାହରେ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ କରିବା ପରେ ଟନେଲ୍ ବାଟ ଦେଇ ବାଲି କଢ଼ାଯିବ ବୋଲି ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ସୂର୍ଯ୍ୟମନ୍ଦିର ସଂରକ୍ଷଣ ନିମନ୍ତେ ବାଲି କଢ଼ା ପ୍ରକ୍ରିୟା ୪ ମାସ ବନ୍ଦ ଥିଲା । ଗତ ଡିସେମ୍ବର ୯ରେ ଏଏସ୍ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଦିଲ୍ଲୀପ କୁମାର ଖମାରୀ, ପ୍ରତ୍ନତତ୍ତ୍ୱ ବିଭାଗ କୋର୍ କମିଟି ସଦସ୍ୟ, ଆଇଆଇଟି ମାଡ୍ରାସର ପ୍ରଫେସର ଅରୁଣ ମେନନ, ବିଶେଷଜ୍ଞ ଦଳ ଗର୍ଭଗୃହରୁ ବାଲି କଢ଼ା ପ୍ରକ୍ରିୟା ଓ ସୂର୍ଯ୍ୟମନ୍ଦିର ସଂରକ୍ଷଣ ନେଇ ଅନୁଧ୍ୟାନ କରିଥିଲେ ।
ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ସୂର୍ଯ୍ୟମନ୍ଦିର ପଶ୍ଚିମ ଦିଗ ପ୍ରଥମ ପିଢ଼ରେ ଗର୍ଭଗୃହକୁ ଟନେଲ ନିର୍ମାଣ କାର୍ଯ୍ୟ ପୂର୍ବରୁ ମନ୍ଦିର କାନ୍ଥ ପଥରର ସ୍ଥିତି ଯାଞ୍ଚ ସହ ଗର୍ଭଗୃହ କାନ୍ଥର ଚଉଡ଼ା ମାପିବା ପାଇଁ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଡ୍ରିଲ୍ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୯ ମିଟର ପର୍ଯ୍ୟନ୍ତ ୬ ମିଟର ଚଉଡ଼ାରେ ଓ ପୂର୍ବରୁ ହୋଇଥିବା ଛିଦ୍ରଠାରୁ ୧.୨ ମିଟର ବ୍ୟବଧାନରେ ୬ ଇଞ୍ଚ ଗୋଲେଇର ୮ ମିଟର କୋର୍ ଡ୍ରିଲ ହୋଇଛି । ଜିରୋ ଭାଇବ୍ରେଟର ଓ ଡାଇମଣ୍ଡ କଟରରେ ଖନନ ହୋଇଥିଲା । ପରେ ଗର୍ଭଗୃହର ବାଲି ଓ ପଥର ଗୁଣ୍ଡକୁ ଯାଞ୍ଚ ପାଇଁ ଆଇଆଇଟି ମାଡ୍ରାସ ପଠାଯାଇଥିଲା । ତେବେ ସେହି ରିପୋର୍ଟ ସାର୍ବଜନୀନ ହୋଇନାହିଁ ।


