
ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନ୍ଫରେନ୍ସ ଓ ଏକ୍ସପୋ ଏବଂ ଦ୍ୱିତୀୟ ନ୍ୟାସନାଲ୍ ଅର୍ବାନ୍ କନକ୍ଲେଭ୍। ୨୫ ଯାଏଁ ଚାଲିବାକୁ ଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶବିଦେଶର ନୀତି ନିର୍ଦ୍ଧାରକ, ସହରାଞ୍ଚଳ ବିକାଶ ବିଶେଷଜ୍ଞ, ପ୍ରଶାସକ ଓ ପରିବହନ କ୍ଷେତ୍ରର ପ୍ରତିନିଧିମାନେ ଯୋଗଦେବେ।
କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି ସମ୍ମିଳନୀରେ ସହରାଞ୍ଚଳ ପରିବହନ, ଆବାସ, ସ୍ୱଚ୍ଛତା, ଭିତ୍ତିଭୂମି ବିକାଶ ଓ ସ୍ମାର୍ଟ ନଗର ପ୍ରଶାସନ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଡିଜିଟାଲ୍ ଯୁଗରେ ସହରାଞ୍ଚଳ ଗମନାଗମନକୁ ସୁଗମ କରିବା ସହ ସହରବାସୀଙ୍କ ଜୀବନଧାରଣର ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ।
ଏହି ଅବସରରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବାର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବାର ଯୋଜନା ରହିଛି। ଏହା ସହ ଅଙ୍କୁର ହ୍ୟାଣ୍ଡବୁକ୍, ଓଡ଼ିଶା ଟାଉନ୍ ପ୍ଲାନିଂ ହ୍ୟାଣ୍ଡବୁକ୍ ଏବଂ ସରକାରୀ ଓ ଘରୋଇ ସାର୍ବଜନୀନ ସ୍ଥାନ ସମ୍ପର୍କିତ ନୀତି ଉପସ୍ଥାପନ କରାଯିବ।
ସମ୍ମିଳନୀରେ CRUT ପକ୍ଷରୁ ଆମ ବସ୍ ସେବା, ବୈଦ୍ୟୁତିକ ପରିବହନ ଓ ମହିଳା ସଶକ୍ତୀକରଣ ସମ୍ପର୍କିତ ପଦକ୍ଷେପ ପ୍ରଦର୍ଶିତ ହେବ। ଏଥିସହ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ବାଲୁକାକଳା, ଏକାମ୍ର ଐତିହ୍ୟ ପଦଯାତ୍ରା ଓ ସାଇକେଲ୍ ଟ୍ରେଲ୍ ର ଆୟୋଜନ କରାଯିବ। ସହରର ସ୍ୱଚ୍ଛତା, ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ସମ୍ପର୍କିତ କାର୍ଯ୍ୟକୁ ମଧ୍ୟ ପ୍ରଦର୍ଶିତ କରାଯିବ।







