
ଭୁବନେଶ୍ଵର: ଓଡ଼ିଶାର ବୁଣାକାରମାନେ ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା । ଆମ ହସ୍ତତନ୍ତ କେବଳ ଖଣ୍ଡେ କପଡ଼ା ନୁହେଁ, ଏହା ଆମ ଐତିହ୍ୟ । ଓଡ଼ିଶାର ହସ୍ତତନ୍ତ – ଐତିହ୍ୟର ସୂତ୍ରଧର ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ । ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ‘ଏକତା’ ଉତ୍ସବ ଆୟୋଜନ ଉପଲକ୍ଷେ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ବଳସାମନ୍ତ । ସୂଚନାଯୋଗ୍ୟ; ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୁଲ୍ୟରେ ଅଗଷ୍ଟ ୭ ତାରିଖରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ପାଳନ, ଅଗଷ୍ଟ ୮ ଓ ୯ ତାରିଖରେ ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ଵାରା ଜ୍ଞାନ ପ୍ରଦାନ କାର୍ଯ୍ୟକ୍ରମ “ଏକତା” ଉତ୍ସବ ଆୟୋଜନ ଏବଂ ଏହି ଉପଲକ୍ଷେ ୭ ରୁ ୧୩ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜନ କରାଯିବ । ସ୍ଥାନୀୟ ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ଏ ସମ୍ପର୍କରେ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ।
ଜାତୀୟ ହସ୍ତତନ୍ତ ଦିବସକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୭ ଅଗଷ୍ଟ ୨୦୨୫ରେ ଉଦଘାଟନ କରିବେ । ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ଚଳଚିତ୍ର ଜଗତର ସ୍ଵନାମଧନ୍ୟ ତାରକା ଶ୍ରୀମତୀ ମାଧୁରୀ ଦୀକ୍ଷିତ ନେନେ ଯୋଗଦାନ କରିବେ । ଭାରତ ସରକାରଙ୍କ ବୟନ ମନ୍ତ୍ରାଳୟର ପ୍ରମୁଖ ପଦକ୍ଷେପ EKTA କାର୍ଯ୍ୟକ୍ରମ (EKTA- Exhibition cum Knowledge Sharing for Textile Advantage) (ବୟନ ଶିଳ୍ପର ଅଗ୍ରଗତି ନିମନ୍ତେ ପ୍ରଦର୍ଶନୀ ଦ୍ଵାରା ଜ୍ଞାନ ପ୍ରଦାନ) ଓଡ଼ିଶା ଶାଖାକୁ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଅଗଷ୍ଟ ୮ ତାରିଖରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ଅଗଷ୍ଟ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ, ସମସାମୟିକ ନୃତ୍ୟ ପ୍ରଦର୍ଶନ ସହ ଫ୍ୟାଶନ୍ ସୋ, ଲେଜର୍ ସୋ କାର୍ଯ୍ୟକ୍ରମ ଆୟୋଜନ ହେବ ।
ଅଗଷ୍ଟ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏକ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ ହେବ । ଓଡ଼ିଶାର ସମୃଦ୍ଧ ବୟନ ଐତିହ୍ୟ ଓ ହସ୍ତଶିଳ୍ପ ପ୍ରଦର୍ଶନ ପାଇଁ ୬୦ଟି ଷ୍ଟଲ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ୧୫୦୦ ରୁ ଅଧିକ ହସ୍ତତନ୍ତ ବୁଣାକାର ଅଂଶଗ୍ରହଣ କରିବେ । ରାଜ୍ୟର ବିବିଧ ହସ୍ତତନ୍ତ ଅସ୍ମିତା ସହ ବୟନ ମନ୍ତ୍ରାଳୟ ସହଯୋଗରେ ୮ ରୁ ଅଧିକ ରାଜ୍ୟର ବୁଣାକାରମାନେ ସେମାନଙ୍କ ହସ୍ତତନ୍ତ ପ୍ରଦର୍ଶନ କରିବେ । ଫୁଡ୍ କୋର୍ଟ, ପ୍ଲେ ଜୋନ୍, ଆଦିର ବ୍ୟବସ୍ଥା ହୋଇଛି ।
ଏହି କାର୍ଯ୍ୟକ୍ରମଗୁଡ଼ିକରୁ ଫଳପ୍ରଦ ଫଳାଫଳ ପାଇବା ପାଇଁ ବିଭିନ୍ନ କର୍ମଶାଳା, କ୍ରେତା-ବିକ୍ରେତା-ନିର୍ମାତା ସମ୍ମିଳନୀ, ଡିଜାଇନର ଓ କାରିଗରଙ୍କ ସହ ବିଶେଷ ଅଧିବେଶନ ଆୟୋଜନ କରାଯିବ । ଯୋଗ୍ୟ ବୁଣାକାରମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ୭ ରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ପାଇଁ ମାନ୍ୟବର ମନ୍ତ୍ରୀ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ।