
ଭୁବନେଶ୍ବର: ଦେଶର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି। ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ। ରାଜ୍ୟରେ ବିଗତ କିଛି ଦିନ ହେଲା କାଳବୈଶାଖୀ ସହିତ ବର୍ଷା ଜାରି ରହିଛି। ଗ୍ରୀଷ୍ମଦିନରେ ନିଦାଘ ଖରା ନାହିଁ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ୭ ଦିନ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ଅଧିକାଂଶ ସ୍ଥାନରେ ବର୍ଷା ସହିତ ଝଟ୍କା ପବନ ବହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀମତୀ ମହାନ୍ତି କହିଛନ୍ତି, ଗତକାଲି କେରଳରେ ମୌସୁମୀ ସ୍ପର୍ଶ କରିଛି। ଏହା ଧୀରେଧୀରେ ଆଗକୁ ଅଗ୍ରସର ହେଉଛି। କିନ୍ତୁ ଓଡ଼ିଶାକୁ ମୌସୁମୀ ଆସିବାରେ ଟିକେ ସମୟ ଲାଗିବ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପରେ ଓଡ଼ିଶାକୁ ମୌସୁମୀ ଆସିବ।








