
ନୂଆଦିଲ୍ଲୀ: ଇସ୍ରାଏଲର ଭୟଙ୍କର ପ୍ରତିଶୋଧ। ହିଜବୁଲ୍ଲା ଗଡ଼ରେ ପଶି ପୁଣି ଏକ ବଡ଼ ଶିକାର କରିଛି ଇସ୍ରାଏଲ୍। ହିଜବୁଲ୍ଲାର ନୂଆ ମୁଖିଆ ନଇମ କାସିମ୍ ନିହତ। ଲେବାନନର ରାଜଧାନୀ ବେରୁତରେ ହୋଇଥିବା ଏକ ଶକ୍ତିଶାଳୀ ଏୟାର ଷ୍ଟ୍ରାଇକ୍ରେ କାସିମ୍ର ମୃତ୍ୟୁ ହୋଇଥିବା ଦାବି କରିଛି ଇସ୍ରାଏଲ୍ ସେନା। ଯୁଦ୍ଧବିରତି ପାଇଁ ଆଲୋଚନା ଚାଲିଥିବା ବେଳେ ଇସ୍ରାଏଲର ଏହି ବଡ଼ ଧରଣର କାର୍ୟ୍ୟାନୁଷ୍ଠାନ ହିଜବୁଲ୍ଲାକୁ ବଡ଼ ଝଟକା ଦେଇଛି। ୨୦୨୪ରେ ହାସନ ନସରାଲ୍ଲାଙ୍କ ହତ୍ୟାର ଠିକ୍ ମାସକ ପରେ ହିଜବୁଲ୍ଲା କମାଣ ଧରିଥିଲା ନଇମ କାସିମ୍। ୩୦ ବର୍ଷରୁ ଅଧିକ ସମୟ ଧରି ସଂଗଠନରେ ସକ୍ରିୟ ଥିବା କାସିମ୍କୁ ନିପାତ କରିବା ଇସ୍ରାଏଲ୍ ପାଇଁ ଏକ ବଡ଼ ସଫଳତା।ଇରାନର ସମର୍ଥନରେ ଗଢ଼ାଯାଇଥିବା ଏହି ଆତଙ୍କୀ ସଂଗଠନ ଏବେ ନେତୃତ୍ୱହୀନ ହୋଇପଡ଼ିଛି। ଦକ୍ଷିଣ ଲେବାନନରେ ଇସ୍ରାଏଲୀୟ କବଜା ବିରୋଧରେ ଲଢ଼ିବାକୁ ଇରାନ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, କାସିମ୍ର ମୃତ୍ୟୁ ପରେ ତାହା ଫେଲ୍ ମାରିଥିବା କୁହାଯାଉଛି।
୧୯୮୨ ମସିହାରେ ଲେବାନନର ମୁସଲିମ ସିଆ ଆତଙ୍କବାଦୀଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ହିଜବୁଲ୍ଲା ସଂଗଠନ। ଦକ୍ଷିଣ ଲେବାନନରେ ଇସ୍ରାଏଲୀୟ କବଜା ବିରୁଦ୍ଧରେ ଲଢ଼ିବା ପାଇଁ ଇରାନର ରିଭଲ୍ୟୁସନରୀ ଗାର୍ଡର ସମର୍ଥନ ରହିଥିଲା।ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଆହୁରି ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ଗୋଟିଏ ପଟେ ଆମେରିକା ଶାନ୍ତି ପାଇଁ ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ଇସ୍ରାଏଲର ଏହି ଘାତକ ହମଲା ପଶ୍ଚିମ ଏସିଆର ରାଜନୀତିକୁ ପୁଣି ଗରମ କରିଦେଇଛି।




