
ଭୁବନେଶ୍ୱର: ନିରାଶ କରିବ ମୌସୁମୀ । ନିଅଣ୍ଟିଆ ବର୍ଷା ସ୍ଥିତି ଦେଖିବାକୁ ମିଳିପାରେ ଓଡ଼ିଶାରେ । ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡ଼ା, ବରଗଡ଼କୁ ଛାଡ଼ି ବାକି ପ୍ରାୟତଃ ବର୍ଷା ଅଭାବ ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସୋମବାର ଏଭଳି ଉଦବେଗଜନକ ପୂର୍ବାନୁମାନ ଦେଇଛି ।
କେବଳ ଓଡ଼ିଶା ନୁହେଁ, ଦକ୍ଷିଣ ଓ ଉତ୍ତର ପୂର୍ବ ଭାଗକୁ ଛାଡ଼ିଦେଲେ ଦେଶର ଅଧିକାଂଶ ଅଞ୍ଚଳରେ ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ଆଇଏମ୍ଡି ଆକଳନ ଅନୁସାରେ, ମୌସୁମୀ ସମୟରେ ଦେଶରେ ସ୍ୱାଭାବିକ ଭାବେ ଯେତିକି ପରିମାଣର ବର୍ଷା ହେବା କଥା, ତାର ୯୨% ବର୍ଷା ହେବ ।ଏବେ ଦେଶରେ ଲା-ନିନା ଦୁର୍ବଳ ସ୍ଥିତିରେ ରହିଛି । ଏହା ଧୀରେ ଧୀରେ ନିଉଟ୍ରାଲ ସ୍ଥିତିକୁ ଯାଉଛି । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦୁର୍ବଳ ଲା- ନିନା ସ୍ଥିତି ରହିଛି । ତେବେ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ଏଲ-ନିନୋ ସ୍ଥିତି ରହିବ ବୋଲି ମନସୁନ ମିଶନ କ୍ଲାଇମେଟ ଫୋରକାଷ୍ଟ ସିଷ୍ଟମ(ଏମଏମସିଏଫଏସ୍) ପୂର୍ବାନୁମାନ କରିଛି । ବର୍ତ୍ତମାନ ଇଣ୍ଡିଆନ ଓସେନ ଡାଏପୋଲ(ଆଇଓଡି) ନିଉଟ୍ରାଲ ସ୍ଥିତିରେ ଅଛି ।
ବିଭିନ୍ନ ପାଣିପାଗ ମଡେଲ ଅନୁସାରେ, ମୌସୁମୀ ଋତୁର ଶେଷ ଆଡ଼କୁ ଆଇଓଡି ପଜିଟିଭ୍ ହେବା ସମ୍ଭାବନା ଅଛି । ଆଇଓଡି ପଜିଟିଭ୍ ହେଲେ ବର୍ଷା ସ୍ଥିତିରେ ସୁଧାର ଆସିବ ଓ ଭଲ ବର୍ଷା ହୋଇପାରେ । ତେବେ ଚଳିତ ମୌସୁମୀରେ ବର୍ଷା କମ୍ ହେବାର ଅନ୍ୟତମ କାରଣ ହେଉଛି, ଗତ ଜାନୁୟାରୀରୁ ମାର୍ଚ୍ଚ ମାସ ଭିତରେ ଦେଶର ଉତ୍ତର ଗୋଲାର୍ଦ୍ଧ କମ୍ ବରଫାବୃତ ହୋଇଥିଲା ।ମୌସୁମୀ ବର୍ଷା କମିଲେ ଚାଷ ଉପରେ ପ୍ରଭାବ ପଡ଼ିବ । ବିଶେଷ କରି ଧାନ ଚାଷ ଗୁରୁତର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଯଦି ଆଇଓଡି ପଜିଟିଭ୍ ରହିବ ତେବେ ବର୍ଷା ଭଲ ହୋଇପାରେ । ପୁଣି ଘୂର୍ଣ୍ଣିଝଡ଼ ପ୍ରଭାବରେ ମଧ୍ୟ ବର୍ଷା ସ୍ଥିତିରେ ସୁଧାର ଆସିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଭିନ୍ନ ଆକଳନ କରିଛି । ଏଥିରେ କୁହାଯାଇଛି, ଏଥର ଓଡ଼ିଶା ଉପରେ ମୌସୁମୀ କୃପା କରିପାରେ । ଯଦିଓ ଦେଶରେ ସ୍ୱାଭାବିକ ଠାରୁ କମ୍ ବର୍ଷା ସମ୍ଭାବନା ରହିଥିବା ସ୍କାଏମେଟ ମଧ୍ୟ ଆକଳନ କରିଛି ।




