
ରାଇରଙ୍ଗପୁର: କିଛି ଦିନ ନିରୀକ୍ଷଣରେ ରହିବା ପରେ ଏନକ୍ଲୋଜରରୁ ବାହାରି ଶିମିଳିପାଳ ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲକୁ ଚାଲିଗଲା ବାଘୁଣୀ ଜୀନତ । ଅଭୟାରଣ୍ୟର କୋର ଅଞ୍ଚଳ ଯମୁନାଘାଟିରେ ଥିବା ଏନକ୍ଲୋଜରରୁ ବାଘୁଣୀ ଜୀନତକୁ ଘଞ୍ଚ ଜଙ୍ଗଲରେ ଛଡାଯାଇଥିବା ନେଇ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।ଗତକାଲି ସନ୍ଧ୍ୟା ସମୟରେ ଏନକ୍ଲୋଜରର ଗେଟ୍ ଖୋଲା ଯାଇଥିଲା । ତେବେ ରାତି ପ୍ରାୟ ୯.୩୦ ସମୟରେ ବାଘୁଣୀ ଜୀନତ ଏନକ୍ଲୋଜରରୁ ବାହାରି ଘଞ୍ଚ ଜଙ୍ଗଲକୁ ଚାଲି ଯାଇଥିଲା । ତେବେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଡ଼ିଭିଜନର ତିନୋଟି ଟିମ୍ ଦ୍ବାରା ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ମନିଟରିଂରେ ରହିବ ବାଘୁଣୀ ଜୀନତ । ବର୍ତ୍ତମାନ ବନ ବିଭାଗ ପକ୍ଷରୁ ଯାହା ସୂଚନା ରହିଛି ବାଘୁଣୀ ‘ଯମୁନା’ ଓ ‘ଜୀନତ’ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ସ୍ବାଭାବିକ ଭାବେ ଚଳପ୍ରଚଳ ଜାରି ରଖିଛି । ଏଠାରେ ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତାଗାଡ଼ିରେ ବିଶେଷ ବ୍ୟବସ୍ଥା ସହ ପ୍ରାୟ ୯ ଶହ କିଲୋମିଟର ଯାତ୍ରା କରି ୩ ବର୍ଷୀୟା ବାଘୁଣୀ ‘ଜୀନତ’କୁ ଶିମିଳିପାଳ ଅଭୟାରଣ୍ୟ ଅଣାଯାଇଥିଲା । ପ୍ରଥମେ ତାକୁ ଅଭୟାରଣ୍ୟର କୋର ଅଞ୍ଚଳ ଯମୁନାଘାଟିରେ ପ୍ରସ୍ତୁତ ସଫ୍ଟ-ଏନକ୍ଲୋଜରରେ ନିରୀକ୍ଷଣରେ ରଖାଯାଇଥିଲା ।




