
ଭୁବନେଶ୍ୱର: ସହରୀକରଣର ନୂଆ ଅଭିଯାନ ଅନ୍ତର୍ଗତ ଏନ୍ଏସି ଓ ମ୍ୟୁନିସିପାଲିଟି ଘୋଷଣା କଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁଥିବା ବେଳେ ବାସ୍ତବରେ ଏଥିରେ କୌଣସି ନୂତନତା ନାହିଁ ବୋଲି ବିଜେଡି କହିଛି। ଏଥିରୁ ଅଧିକାଂଶ ଘୋଷଣା ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସମୟରେ ହୋଇ ସାରିଥିଲା ବୋଲି ବିଜେଡି ପକ୍ଷରୁ ସାମାଜିକ ଗଣମାଧ୍ୟମରେ କୁହାଯାଇଛି।
ବିଜେଡି କହିଛି, ରବିବାର ଭାଜପା ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୭ ନୂଆ ମ୍ୟୁନିସିପାଲିଟି ମଧ୍ୟରୁ ୪ଟି ବୌଦ୍ଧ, କରଞ୍ଜିଆ, ଆସ୍କା ଏବଂ ଛତ୍ରପୁରକୁ ନବୀନ ପଟ୍ଟନାୟକ ଫେବୃଆରୀ ୨୦୨୪ରେ ମାନ୍ୟତା ପ୍ରଦାନ ନେଇ ଘୋଷଣା କରିଥିଲେ।
ସେହିପରି ଘୋଷଣା ହୋଇଥିବା ୧୬ ନୂଆ ଏନ୍ଏସି ମଧ୍ୟରୁ ୭ଟି ନବୀନଙ୍କ ୨୦୨୪ର ଘୋଷିତ ତାଲିକା ସହ ସମାନ। ଏହା ସ୍ପଷ୍ଟ ଦର୍ଶାଉଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣାର ଅଧିକାଂଶ କଥା ନୂଆ ନୁହେଁ, ବରଂ ବିଜେଡି ସରକାର ପ୍ରସ୍ତୁତ କରିଥିବା ବିକାଶ ନକ୍ସାର ‘କପି ପେଷ୍ଟ’। ୨୦୨୪ରେ ଘୋଷିତ ତାଲିକାରୁ ଏକାଧିକ ନାଁକୁ ଧାର ଆକାରରେ ଆଣି ନୂଆ ତାଲିକାରେ ସାମିଲ କରିବା ସ୍ପଷ୍ଟ ଭାବେ ଦର୍ଶାଉଛି। ଭାଜପା ସରକାର ‘ରି-ବ୍ରାଣ୍ଡିଙ୍ଗ୍’ରେ ବିଶ୍ୱାସ କରୁଛି।