
ଭୁବନେଶ୍ୱର: ଓଡ଼ିଶାରୁ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଓ ବରଗଡ଼ରୁ ମୌସୁମୀ ବିଦାୟ ନେଇଥିବା ଜଣାଯାଇଛି । ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେବ । କାରଣ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ପାଇଁ ପାଗ ପୂରା ଅନୁକୂଳ ରହିଛି ।
ମୌସୁମୀ ଋତୁରେ ଦେଶରେ ସ୍ବାଭାବିକଠାରୁ 13% କମ୍ ବର୍ଷା ରେକର୍ଡ ହୋଇଛି । ଦେଶରେ କମ୍ ବର୍ଷା ହୋଇଥିଲେ ବି ରାଜ୍ୟରେ 29% ଅଧିକ ବର୍ଷା ହୋଇଛି ।ଚଳିତବର୍ଷ ମୌସୁମୀ ଅପସାରଣ ହେବା ପୂର୍ବରୁ ଭିଜାଇ ବୁଡ଼ାଇ ଏବେ ଘର ମୁହାଁ ହେଉଛି । ଭାରତର ବିଭିନ୍ନ ଅଞ୍ଚଳରୁ ମୌସୁମୀ ବିଦାୟ ନେଇଥିବା ବେଳେ ଖୁବଶ୍ରୀଘ୍ର ଓଡ଼ିଶାରୁ ଲେଉଟାଣି ନେବ । ଏଥିପାଇଁ ପାଣିପାଗ ଅନୁକୂଳ ହେଉଛି ।
ଅନ୍ୟପଟେ ସାଧାରଣତ ଦେଶରୁ ସେପ୍ଟେମ୍ବର ମାସରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପକ୍ରିୟା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ମୌସୁମୀ ଋତୁରେ 1ଜୁନରୁ 30 ସେପ୍ଟେମ୍ବର ମଧ୍ୟରେ ଦେଶରେ 759.4 ମିମି ବର୍ଷା ରେକର୍ଡ ଯାହାକି ସ୍ୱାଭାବିକ ବର୍ଷା 868.6 ମିମି ତୁଳନାରେ 13 ପ୍ରତିଶତ କମ ବର୍ଷା ହୋଇଛି । ଓଡ଼ିଶାରେ 1484.3 ମିମି ବର୍ଷା ରେକର୍ଡ ହୋଇଛି ଯାହାକି ସ୍ୱାଭାବିକ ବର୍ଷା 1150.2 ମିମି ତୁଳନାରେ 29% ଅଧିକ ରେକର୍ଡ ହୋଇଛି l ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ 1907 ମିମି ଓ ଗଜପତି ଜିଲ୍ଲାରେ ସର୍ବନିମ୍ନ 896.7 ମିମି ବର୍ଷା ରେକର୍ଡ ହୋଇଛି । ଏହାସହ ଚଳିତ ମୌସୁମୀ ଋତୁରେ ରାଜ୍ୟ ଉପରେ 2 ଗଭୀର ଅବପାତ, 3 ଅବପାତ, 2 ସ୍ପଷ୍ଟଚିହ୍ନିତ ଲଘୁଚାପ ଏବଂ 3 ଲଘୁଚାପ କ୍ଷେତ୍ର ପାଖାପାଖି 42 ଦିନ ପ୍ରଭାବ ପକାଇଛି ତଥା ଏହି 42 ଦିନ ମଧ୍ୟରେ ରାଜ୍ୟରେ 1057.8 ମିମି ବର୍ଷା ଅନୁଭୂତ ହୋଇଛି ।








