
ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି । ଅବପାତରେ ପରିଣତ ହୋଇଛି ସ୍ପଷ୍ଟଚିହ୍ନିତ ଲଘୁଚାପ । ଗତକାଲି ରାତି 11.30ରେ ଲଘୁଚାପଟି 10 କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି । ଆଜି ଏହା ପଶ୍ଚିମ ଆଡକୁ ଗତି କରି ପୁରୀ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ପରେ ଏହା ଧିରେ ଧିରେ ଦୁର୍ବଳ ହେବ । ଅବପାତ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ।ଲଘୁଚାପ ପ୍ରଭାବରେ ସକାଳୁ ସକାଳୁ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି । ଭୁବନେଶ୍ବରରେ ପ୍ରବଳ ବର୍ଷା ହେଉଛି । ଲଘୁଚାପଟି ଓଡ଼ିଶା ଅତିକ୍ରମ କରିବା ବେଳେ ବର୍ଷାର ପରିମାଣ ଆହୁରି ବଢ଼ିବ । ବର୍ଷା ସାଙ୍ଗକୁ ବଜ୍ରପାତ ଓ ଘଣ୍ଟାପ୍ରତି 50-60 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । କିଛି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ମାଲକାନଗିରି ଓ କଳାହାଣ୍ଡିରେ ଆସନ୍ତାକାଲି ପର୍ଯ୍ୟନ୍ତ ସମସ୍ତ ସରକାରୀ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।ଆଜି ସାରା ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଡ଼ି ପବନ ରହିବ । ଅତି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି 60 କିମି ବେଗରେ ପବନ ବହିବାକୁ ନେଇ ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ବର୍ଷା ସହ 60 କିମି ବେଗରେ ଝଡ଼ି ପବନ ବହିବାର ସମ୍ଭାବନା ରହିଛି ।




