କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ଶନିବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ଉପସଭାପତି ଓ ଉଭୟ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏବଂ ଲଲାଟେନ୍ଦୁ ମହାପାତ୍ର ତଥା ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି ଏହି ମର୍ମରେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୨୧ ମସିହାରେ ଏକ ଜମି କିଣିବା ବାବଦରେ ନିରଞ୍ଜନ ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ୨୫ ଲକ୍ଷ ଟଙ୍କାର ଠକେଇ ଶିକାର ହେବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ନିକଟରେ ଏତଲା ଦେବାରୁ ମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ପ୍ରଘଟ ହୋଇଥିଲା । ସମ୍ବିଧାନର ଧାରା ୨୩୪ ଅନୁସାରେ ତଥା ୧୯୫୧ ଜନ ପ୍ରତିନିଧି ଆଇନର ଉପଧାରା ୩୩/୩୬ ଅନୁସାରେ ନିର୍ବାଚନ ଆୟୋଗ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ଉଚିତ। ସେହିଭଳି ମିଥ୍ୟା ସତ୍ୟପାଠ କରିଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କିଭଳି ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ସେ ନେଇ କଂଗ୍ରେସ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛି।
ଗତ ନିର୍ବାଚନରେ ମନ୍ତ୍ରୀ ଶ୍ରୀ ପାତ୍ର ନିଜ ସତ୍ୟପାଠରେ ମୋଟ ୭ ଲକ୍ଷ ୩୫ ହଜାର ୯୦ ଟଙ୍କା ଥିବା ଏବଂ କିଛି ଋଣ କରି ନଥିବା ଦର୍ଶାଇଥିଲେ। ବାର୍ଷିକ ୨୦ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ସେ ଦର୍ଶାଇଛନ୍ତି। କିନ୍ତୁ ସତ୍ୟପାଠରେ ଜମିକିଣା ଅଗ୍ରୀମ ୨୫ ଲକ୍ଷ ଟଙ୍କାର ଉଲ୍ଲେଖ କରିନାହାନ୍ତି। ତେବେ ଏଠାରେ ସତ୍ୟପାଠକୁ ନେଇ ସାମ୍ବିଧାନିକ ବିରୋଧାଭାଷ ସ୍ପଷ୍ଟ ହୋଇଛି। ଭାରତୀୟ ଜନ ପ୍ରତିନିଧି ୧୯୫୧ ଆଇନର ଉପଧାରା ୩୬ କ୍ଲଜ -୨ ଉପଧାରା-ବି ଅନୁସାରେ ଯଦି ଜଣେ ପ୍ରାର୍ଥୀ ନିର୍ବାଚନ ସମୟରେ ତାଙ୍କର ସ୍ଥାବର, ଆସ୍ଥାବର ଏବଂ ଋଣର ତାଲିକା ସମ୍ପୂର୍ଣ ରୂପେ ଦାଖଲ ନ କରନ୍ତି ଏବଂ ଲୁଚେଇ ରଖନ୍ତି, ତାହାହେଲେ ତାଙ୍କ ବିଧାନସଭା ପଦ ଅସିଦ୍ଧ କରିବାର ନିୟମ ଅଛି। ଭାରତୀୟ ସମ୍ବିଧାନ ଧାରା ୩୨୪ ଏବଂ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଅନୁସାରେ ମୁକ୍ତ ଏବଂ ସ୍ୱଚ୍ଛ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗକୁ ଉକ୍ତ ଧାରା ଅନୁଯାୟୀ କ୍ଷମତା ପ୍ରଦାନ କରାଯାଉଛି। ଯେହେତୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ବାଚନ ସତ୍ୟପାଠରେ ଜମିକିଣା ବାବଦ ୨୫ ଲକ୍ଷ ଟଙ୍କା ପଇଠ କରିଥିବା ଘୋଷଣା କରିନାହାନ୍ତି, ତେଣୁ ସତ୍ୟପାଠର ଖିଲାପ ହୋଇଛି। ମନ୍ତ୍ରୀ ଶ୍ରୀ ପାତ୍ର ଖୋଦ ୨୫ ଲକ୍ଷ ଅଗ୍ରୀମ ଦେଇ ଠକେଇର ଶିକାର ହୋଇଥିବା ଏତଲା ଦେଇଛନ୍ତି ଏବଂ ଏହା ଗଣମାଧ୍ୟମ ତଥା ରାଜ୍ୟର ରାଜନୀତିରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି। ତେଣୁ ନିର୍ବାଚନ ଆୟୋଗ ଏହାକୁ ନିଜ ସଂଜ୍ଞାନରେ ନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ଅଥଚ ଘଟଣାକୁ ଆଠ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ୟ୍ୟନ୍ତ ଆୟୋଗ ସାମାନ୍ୟ ପଦକ୍ଷେପ ମଧ୍ୟ ଗ୍ରହଣ କରିନାହାନ୍ତି ।
ଏଣୁ କଂଗ୍ରେସ ଦଳ, ଘଟଣାର ବିହିତ ତଦନ୍ତ କରି ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିକଟରେ ଦାବି କରୁଛି। ପୂର୍ବରୁ ମଧ୍ୟ ବିଭିନ୍ନ ମନ୍ତ୍ରୀଙ୍କ ଦୁର୍ନୀତି, କ୍ଷମତାର ଅପବ୍ୟବହାର ଆଦି ଅନେକ ଅଭିଯୋଗ ଆସୁଛି। ଧାନ କିଣା, ଆଳୁ ଆମଦାନୀ ଆଦି ପ୍ରକରଣରେ ମନ୍ତ୍ରୀ ଶ୍ରୀ ପାତ୍ର ବିବାଦୀୟ ମନ୍ତବ୍ୟମାନ ଦେଇ ନିଜ ସରକାରଙ୍କୁ ଅଡ଼ୁଆରେ ପକାଇଆସିଛନ୍ତି। ୨୦୦୪ ମସିହାରେ ଢେଙ୍କାନାଳରେ ଆଦିବାସୀ ଜମି କିଣା ମାମଲାରେ ଶ୍ରୀ ପାତ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ପୂର୍ବରୁ ଆସିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ଉପରେ ଥିବା ଅଭିଯୋଗ ଗୁଡିକ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି। ବର୍ତମାନ ମନ୍ତ୍ରୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଯୋଗୁଁ ନିଜେ ଇସ୍ତଫା ଦିଅନ୍ତୁ ଅବା ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ। ପୂର୍ବରୁ ଝାଡ଼ାବାନ୍ତି, ହଇଜାର ରୂପ ନେବା ପ୍ରସଙ୍ଗରେ ଓ ସୌମ୍ୟାଶ୍ରୀ ମାମଲାରେ ଯଥାକ୍ରମେ ସ୍ବାସ୍ଥ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ କରି ନଥିଲେ। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ମିଥ୍ୟା ସତ୍ୟପାଠ ଦାଖଲ ପ୍ରସଙ୍ଗ ଅତ୍ୟନ୍ତ ସ୍ପର୍ଶକାତର, ଏହି ମନ୍ତ୍ରୀ ସବୁବେଳେ ବିବାଦୀୟ ମନ୍ତ୍ରୀ ରୂପେ ପରିଚିତ। ଏହି ପ୍ରକରଣରେ ସାମ୍ବିଧାନିକ ବିଧିବ୍ୟବସ୍ଥାର ଦୁରୁପଯୋଗ ହୋଇଛି। କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ୟାନୁଷ୍ଠାନ ସରକାର ନ କରିବା ରାଜବାସୀଙ୍କୁ ଆଶ୍ଚର୍ୟ୍ୟ କରିଛି। ଏଣୁ ଅଯୋଗ୍ୟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବରଖାସ୍ତ କରି ସାମ୍ବିଧାନିକ ବିଧିବ୍ୟବସ୍ଥା ରକ୍ଷା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

  • Related Posts

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟ ବିଜେପି ସଭାପତି

    ଭୁବନେଶ୍ବର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ତିରୋଧାନ ଦିବସ । ଭୁବନେଶ୍ୱର ଏମ୍ସ ପରିସରରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ…

    Continue reading
    ସୁଲତାଙ୍କ ପୋଷ୍ଟକୁ ନେଇ ବଢ଼ିଲା ବିବାଦ, କ୍ୟାପିଟାଲ ଥାନାରେ ବିଜେପିର ଏତଲା

    ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ବିରୋଧରେ ଥାନାରେ ବିଜେପିର ଏତଲା। ଫ୍ଲାଗ୍ କୋଡ୍ ଉଲ୍ଲଂଘନ ସହ ଏଆଇ ଫଟୋର ଅପବ୍ୟବହାର କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଏକ ଏଆଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ