
ଭୁବନେଶ୍ବର: ଗୋଷ୍ଠୀ ବିବାଦରୁ ଦୂରେଇ ରୁହ। ଓଡ଼ିଶାରେ କଂଗ୍ରେସ ସଂଗଠନ କିଭଳି ମଜଭୁତ ହେବ ସେଥିପାଇଁ କାମ କର। ଆଗକୁ ଯେଉଁ ନେତାଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଯିବ ତାହାକୁ କାର୍ୟ୍ୟକାରୀ କରିବେ। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ବୈଚାରିକ ଦୃଷ୍ଟିରୁ ମଧ୍ୟ କଂଗ୍ରେସ ପାଇଁ ଲଢ଼େଇର ସୁଯୋଗ ରହିଛି। ଆଜି କଂଗ୍ରେସ ବିଧାୟକ ଓ ପରେ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା ସମୟରେ ନେତୃବୃନ୍ଦଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ନବନିଯୁକ୍ତ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଓ ପ୍ରଭାରୀ ଅଜୟ କୁମାର ଲଲ୍ଲୁ।
କଂଗ୍ରେସର ୧୪ଜଣ ବିଧାୟକଙ୍କୁ ନେଇ କଂଗ୍ରେସ ଭବନରେ ଆଲୋଚନା ହୋଇଥିଲା। ନେତାମାନେ ସ୍ପଷ୍ଟ ଭାବେ କହିଥିଲେ, ଲୋକଙ୍କ ସ୍ବର ଉଠାଇବା ପାଇଁ ୧୪ଜଣ ବିଧାୟକ ଯଥେଷ୍ଟ। ତେଣୁ ଏକତ୍ରିତ ଭାବେ ଜନତାଙ୍କ ସ୍ବର କିଭଳି ବିଧାନସଭାଠାରୁ ଆରମ୍ଭ କରି ତୃଣମୂଳସ୍ତରରେ ଉଠାଯିବ ତାହା ଉପରେ ପ୍ରଭାରୀ ଓ ସଭାପତି ଗୁରୁତ୍ବ ଦେଇଥିଲେ। ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ଭକ୍ତ ବାବୁ ପିସିସି ସଭାପତି ହେବା ପରେ ଏବେ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପିସିସି ସହ ସମନ୍ବୟ ରକ୍ଷା କରି କିଭଳି ଏକତ୍ରିତ ଭାବେ ଜନତାଙ୍କ ସ୍ବର ବିଧାନସଭାରେ ଉଠାଯିବ ସେଥିପାଇଁ ବିଧାୟକମାନେ ପ୍ରସ୍ତୁତ। ମହାତ୍ମା ଗାନ୍ଧୀ, ସୁଭାଷ ବୋଷଙ୍କ ପାଖରେ ଟଙ୍କା ନ ଥିଲା। ଏହା ସତ୍ତ୍ବେ ସେମାନେ ଲଢ଼େଇ କରି ଦେଶକୁ ସ୍ବାଧୀନତା ଆଣିଥିଲେ। ଅର୍ଥ ଅଭାବ ପାଇଁ କଂଗ୍ରେସ ହାରୁଛି। ସେଥିପାଇଁ ଆମେ ଲୋକଙ୍କ ପାଖକୁ ଯିବୁ। ଲୋକମାନେ କଂଗ୍ରେସର ବଳ ହେବେ। କଂଗ୍ରେସ ଲୋକଙ୍କ ସରକାର ହେବ। ଯେଉଁମାନେ ପ୍ରକୃତରେ କାମ କରୁଥିବା ଲୋକ ସେମାନଙ୍କୁ ନିଶ୍ଚିତ ପଦପଦବି ମିଳିବ ବୋଲି ତାରା କହିଛନ୍ତି।
ବିଧାୟକଙ୍କ ସହ ବୈଠକ ପରେ ସଭାପତି ଶ୍ରୀ ଦାସ କହିଥିଲେ, ସବୁ ବିଧାୟକମାନେ ନିଜର ନିଜର ପ୍ରସ୍ତାବ ଦେଇଛନ୍ତି। ଏହାସହ ରାଜ୍ୟର ଯେ କୌଣସି ଜାଗାକୁ କାମ କରିବା ଲାଗି ପଠାଇଲେ ସେମାନେ କାମ କରିବେ ବୋଲି ପ୍ରସ୍ତୁତ ଥିବା ଜଣାଇଛନ୍ତି। ଅପରାହ୍ଣରେ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ ବସିଥିଲା। ଜିଲ୍ଲା ସଭାପତିଙ୍କ ସହ ଆଲୋଚନା ସମୟରେ ମଧ୍ୟ ସମାନ ପ୍ରସଙ୍ଗ ଉଠିଥିଲା। ଅର୍ଥର ଅଭାବ ଥିବା ବେଳେ ସଂଗଠନକୁ ମଜଭୁତ କରିବାକୁ ହେଲେ ସଭାପତି ଓ ପ୍ରଭାରୀଙ୍କ ସମସ୍ତ ସହଯୋଗ ଲୋଡ଼ା ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ବିଶ୍ବଜିତ ଦାଶ ପ୍ରସ୍ତାବ ଦେଇଥିଲେ। ଆସନ୍ତାକାଲି ବଳକା ଜିଲ୍ଲା ସଭାପତି, ବିଭିନ୍ନ ସେଲ୍ ଓ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହ ପିସିସି ସଭାପତି ଓ ପ୍ରଭାରୀ ଆଲୋଚନା କରିବେ। ସୋମବାର ଏଆଇସିସି ଇନଚାର୍ଜ, ଏଆଇସିସି ସଂପାଦକ ଇନ୍ଚାର୍ଜ ଓ ଅନ୍ୟମାନଙ୍କ ସହ ଆଲୋଚନା କରାଯିବ।



