ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା କେବେ ଠାରୁ ଆରମ୍ଭ ହୋଇଛି ତାହାର କୌଣସି ସଠିକ୍ ଦିନ ବା ତାରିଖ ଇତିହାସ ପୃଷ୍ଠାରେ ଉଲ୍ଲେଖ କରାଯାଇନଥିଲେ ମଧ୍ୟ ୧୨୨୩ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ ସମୟରୁ ରଥଯାତ୍ରାର ପ୍ରଚଳନ ହୋଇଥିଲା ବୋଲି ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଉଲ୍ଲେଖ କରିଛନ୍ତି । ଶ୍ରୀ ରାଜଗୁରୁଙ୍କ ମତରେ ୧୨୨୩ ଖ୍ରୀଷ୍ଟାବ୍ଦ ପରେ କୌଣସି ସମୟରେ ଦାରୁରୁ ମହାପ୍ରଭୁଙ୍କର ବିଗ୍ରହ ନିର୍ମାଣ କରାଯିବା ପରେ ଆଦିବାସୀ ଦଇତାମାନେ ମହାପ୍ରଭୁଙ୍କ ସେବକ ଭାବରେ ନିୟୋଜିତ ହେବା ପରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ତେବେ ମହାପ୍ରଭୁଙ୍କର ରଥଯାତ୍ରା କେବଳ ୯ ଦିନ ବ୍ୟାପୀ ଉତ୍ସବ ନୁହେଁ । ନୀଳାଚଳରେ ପୂଜିତ ହେଉଥିବା ଚତୁର୍ଦ୍ଧା ବିଗ୍ରହ ଦାରୁ ରୂପୀ ପରଂବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କର ପୀଠରେ ଗୋଟିଏ ବର୍ଷରେ ହେଉଥିବା ବିଭିନ୍ନ ଯାତ୍ରା ମଧ୍ୟରୁ ରଥଯାତ୍ରା ସର୍ବଶ୍ରେଷ୍ଠ ବୋଲି ସ୍କନ୍ଧ ପୂରାଣରେ ଉଲ୍ଲେଖ କରାଯାଇଛି । ବିଭିନ୍ନ ପୁରାଣରେ ମହାପ୍ରଭୁଙ୍କର ରଥଯାତ୍ରାକୁ ୩ଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଉଛି ଉତ୍ତରାଭିମୁଖୀ ଯାତ୍ରା, ଦ୍ୱିତୀୟ ଭାଗ ହେଉଛି ଆଡପ ମଣ୍ଡପରେ ଅବସ୍ଥାନ ଓ ତୃତୀୟ ହେଉଛି ଦକ୍ଷିଣାଭିମୁଖୀ ଯାତ୍ରା । ଅଧିକାଂଶ ଲୋକ ରଥଯାତ୍ରାର ମାତ୍ର ଦୁଇଟି ପର୍ଯ୍ୟାୟ ଯଥା ଶ୍ରୀ ମନ୍ଦିରରୁ ମାଉସୀ ମାଆ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଏବଂ ବାହୁଡା ଯାତ୍ରାରେ ଶ୍ରୀମନ୍ଦିରକୁ ଦିଅଁମାନଙ୍କର ବାହୁଡା ବୋଲି ହୁଏତ ଧାରଣା ଥାଇପାରେ କିନ୍ତୁ ମହାପ୍ରଭୁଙ୍କର ରଥଯାତ୍ରା ଏହି ଦୁଇଟି ନୁହେଁ ବରଂ ବାରଟି ପର୍ଯ୍ୟାୟ ବା ଚରଣରେ ଅନୁଷ୍ଠିତ ହୋଇଥାଏ ।
ପ୍ରଥମ ପର୍ଯ୍ୟାୟ: ଶ୍ରୀ ପଞ୍ଚମୀ ବା ମାଘ ମାସ ଶୁକ୍ଳ ପକ୍ଷ ପଂଚମୀ ତିଥି ରଥକାଠ ଅନୁକୂଳ ଓ ପୂଜା ଠାରୁ ରଥଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ । ଏହା ରଥଯାତ୍ରାର ପ୍ରଥମ ପର୍ଯ୍ୟାୟ ଅଟେ ।
ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଚୈତ୍ର ମାସ ଶୁକ୍ଳ ଅଷ୍ଟମୀଯୁକ୍ତ ନବମୀ ତିଥିରେ ରଥ କାଠ ଚିରା ଅନୁକୂଳ କରାଯାଏ ।
ଅକ୍ଷୟ ତୃତୀୟା ଦିନ ତୃତୀୟ ପର୍ଯ୍ୟାୟରେ ରଥ ନିର୍ମାଣର ଶୁଭାରମ୍ଭ ପାଇଁ ଅନୁକୂଳ ପୂଜା କରାଯାଏ ।
ଚତୁର୍ଥ ପର୍ଯ୍ୟାୟରେ ଜ୍ୟେଷ୍ଠ ପୂର୍ଣ୍ଣିମା – ରଥ ନିର୍ମାଣର ଚାରି ନାହାକା ସ୍ଥାପନ ଓ ସ୍ନାନଯାତ୍ରା ଅନୁଷ୍ଠିତ ହୁଏ ।
ପଚଂମ ପର୍ଯ୍ୟାୟ ଆରମ୍ଭ ହୁଏ ଆଷାଢ଼ କୃଷ୍ଣ ପ୍ରତିପଦା ତିଥି ଠାରୁ ଆଷାଢ଼ ମାସ ଅମାବାସ୍ୟା ଅନବସର ବା ଅଣସର ପର୍ଯ୍ୟନ୍ତ ।
ଷଷ୍ଠ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ନେତ୍ରାତ୍ସବ ଅନୁଷ୍ଠିତ ହୁଏ ।
ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି – ସପ୍ତମ ପର୍ଯ୍ୟାୟରେ ମହାପ୍ରଭୁଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଆଷାଢ଼ ଶୁକ୍ଳ ଷଷ୍ଠୀରେ ହେରା ପଚଂମୀ ରଥଯାତ୍ରାର ଅଷ୍ଟମ ପର୍ଯ୍ୟାୟ ଓ
ଆଷାଢ଼ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀ ରଥଯାତ୍ରାର ନବମ ପର୍ଯ୍ୟାୟ ଅଟେ । ଏହି ଦିନ ରଥ ଦକ୍ଷିଣ ମୋଡ ନିଅନ୍ତି ଓ ନବମୀରେ ସଂଧ୍ୟା ଦର୍ଶନ ଅନୁଷ୍ଠିତ ହୁଏ ।
ସେହଭଳି ଆଷାଢ଼ ଶୁକ୍ଳ ଦଶମୀରେ ଦଶମ ପର୍ଯ୍ୟାୟ ଅର୍ଥାତ ବାହୁଡା ଯାତ୍ରା ଅନୁଷ୍ଠିତ ହୁଏ ।
ଆଷାଢ଼ ଶୁକ୍ଳ ଏକାଦଶୀ-ଏକାଦଶ ପର୍ଯ୍ୟାୟରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୁଏ ।
ଆଷାଢ଼ ଶୁକ୍ଳ ତ୍ରୟୋଦଶୀରେ ରଥଯାତ୍ରାର ଶେଷ ବା ଦ୍ୱାଦଶ ପର୍ଯ୍ୟାୟରେ ମହାପ୍ରଭୁ ନୀଳାଦ୍ରିବିଜେ କରିଥାନ୍ତି ।
ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଭକ୍ତମାନଙ୍କୁ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ।
ରାଜ୍ୟରେ ଆସିବ ନୂଆ ଇଭି ନୀତି
ଭୁବନେଶ୍ୱର: ପ୍ରଦୂଷଣକୁ ହ୍ରାସ କରିବା ସହ ଅଧିକରୁ ଅଧିକ ଅକ୍ଷୟ ଶକ୍ତି ଆହରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପୂର୍ବର ବିଜେଡି ସରକାର ଏ କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ ଏବଂ ଓଡ଼ିଶା ଇଭି ନୀତି, ୨୦୨୧ର ପ୍ରଣୟନ…