ଗୁରୁ ପ୍ରଣାମ:୫୦୦ରୁ ଅଧିକ ଜୁଆଙ୍ଗ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇ ମଣିଷ କଲେଣି ଗୁନିଅପା

କେନ୍ଦୁଝର,05।09:ଇତିମଧ୍ୟରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଜୁଆଙ୍ଗ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇ ସେ ମଣିଷ କରିଛନ୍ତି। ତାଙ୍କ ପାଖରେ ସବୁବେଳେ ୨୦ରୁ ୫୦ଜଣ ଜୁଆଙ୍ଗ ପିଲା ଥା’ନ୍ତି। ସେମାନଙ୍କ ପାଇଁ ଭୋର ୪ଟାରୁ ଉଠି ଜଳଖିଆ ପ୍ରସ୍ତୁତ କରନ୍ତି। ନିତ୍ୟକର୍ମ କରାଇବାଠାରୁ ଖୁଆଇବା ପରେ ସେମାନଙ୍କୁ ପାଠ ପଢ଼ିବାକୁ ପ୍ରସ୍ତୁତ କରିଥାନ୍ତି। ଏହି ସେବା ଭିତରେ ୬୫ ବର୍ଷରେ ପହଞ୍ଚିଲେଣି ଗୁନିଅପା। ଦିନେ ଯେଉଁ ଆଦିମ ଜନଜାତି ପିଲା ଠିକ ଢଙ୍ଗ‌ରେ କଥା କହି ପାରୁ ନଥିଲେ, ପୋଷାକ ଠିକ୍‌ ଭାବେ ପିନ୍ଧୁ ନ ଥିଲେ, ଏବେ ସେମାନେ ବିଭିନ୍ନ ପଦପଦବିରେ ଅବସ୍ଥାପିତ। ଗାଁର ବୃନ୍ଦାବନ ଜୁଆଙ୍ଗ ଏବେ ଶ୍ରମ ଅଧିକାରୀ। ଚଞ୍ଚଳା ଜୁଆଙ୍ଗ ଅଙ୍ଗନବାଡ଼ି ଦିଦି। ରମେଶ ଜୁଆଙ୍ଗ ଶିକ୍ଷକ ହୋଇଥିବାବେଳେ ଅନ୍ୟତମ ଜନଜାତି କନ୍ୟା ନନ୍ଦିନୀ ପ୍ରିୟଦର୍ଶିନୀଙ୍କୁ ଏବେ ସହରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ନିଜ ଖର୍ଚ୍ଚରେ ପାଠ ପଢ଼ାଉଛନ୍ତି ଗୁନିଅପା। ଜୁଆଙ୍ଗ ପିଲାମାନଙ୍କର ଖର୍ଚ୍ଚ ଉଠାଇବାକୁ ସେ ତୁଳସୀ ଚାଷଠୁ ଆରମ୍ଭ କରି ଗୋପାଳନ, ମହୁଚାଷ, ପନିପରିବା ଆଦି ଚାଷ କରୁଛନ୍ତି। ଗାଁ ଲୋକଙ୍କ ମତରେ ଅପାଙ୍କ ପାଇଁ ଗାଁର ଉତ୍‌ଥାନ ହୋଇଛି। ଗାଁର ଅଙ୍ଗନବାଡ଼ି ଦିଦି ଚଞ୍ଚଳା ଜୁଆଙ୍ଗ କୁହନ୍ତି, ଅପାଙ୍କ ପାଖରେ ରହି ଖାଇପିଇ ବଢ଼ିଛି, ପାଠ ପଢ଼ିଛି, ମଣିଷ ହୋଇଛି। ଅପା ନ ଥିଲେ ଜୀବନ ଅନ୍ଧାରରେ ଥାଆନ୍ତା। ସେହି ଅପା ହେଉଛନ୍ତି ଶର୍ମିଷ୍ଠା ମହାନ୍ତି । ତଥା ଜୁଆଙ୍ଗ ପିଲାଙ୍କ ଅତି ଆପଣାର ଗୁନିଅପା। ଦୀର୍ଘ ୩୫ ବର୍ଷ ଧରି ଗୁନିଅପାଙ୍କ କର୍ମଭୂମି ପାଲଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ଜଙ୍ଗଲ ଓ ଘାଟି ତଳେ ଅବସ୍ଥିତ ଜୁଆଙ୍ଗପଲ୍ଲୀ କୁଆଝରଣ। ତାଙ୍କ ନିସ୍ବା‌ର୍ଥପର ଶିକ୍ଷାଦାନ ଓ ସଂସ୍କାର ଶହଶହ ଜୁଆଙ୍ଗଙ୍କୁ ଜିଇବା ଶିଖାଇଛି।
ଜଗତସିଂହପୁର ଜିଲ୍ଲାର ଅରିଲୋରେ ଜନ୍ମଗ୍ରହଣ କରିଥିଲେ ଶର୍ମିଷ୍ଠା। ବାପା ଚାରୁଚନ୍ଦ୍ର ମହାନ୍ତି ଥିଲେ ଜମିଦାର। ବିଦ୍ୟାଳୟ, ମହାବିଦ୍ୟାଳୟ ଶିକ୍ଷା ପରେ ଓଡ଼ିଆ ଭାଷାସାହିତ୍ୟ ଓ ଇତିହାସରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍‌ଏ ପାସ୍‌ କରିଥିଲେ। ହିନ୍ଦୀ‌ରେ ରତ୍ନ ଉପାଧିପ୍ରାପ୍ତ। ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଓଡ଼ିଶୀ ଭୋକାଲରେ ଏମ୍‌ଏ ପାସ୍‌ କରିଛନ୍ତି। ପ୍ରାରମ୍ଭରେ କିଛି ହାଇସ୍କୁଲ ଓ କଲେଜରେ ଅଧ୍ୟାପନା କରିଥିଲେ। ପରେ ବୃତ୍ତିଗତ ଚାକିରି ମୋହ ତ୍ୟାଗ କରି ‌ଘଟଣାକ୍ରମେ କେନ୍ଦୁଝର ଆସିଥିଲେ। ୧୯୯୨ରେ ପଣ୍ଡାପଡ଼ା ନିକଟ ଦେଓବନ୍ଧଠାରେ କିଛିଦିନ ରହିଥିଲେ। କୌଣସି କାମରେ ହରିଚନ୍ଦନପୁର ବ୍ଲକ୍‌ର ଘାଟି ତଳର ଗାଁ କୁଆଝରଣକୁ ଯାଇଥିବାବେଳେ ଜୁଆଙ୍ଗଙ୍କ ଅବସ୍ଥା ତାଙ୍କୁ ବିଚଳିତ କରିଥିଲା। ସେଇଦିନ ଗାଁର ଜୁଆଙ୍ଗ ପିଲାମାନଙ୍କୁ ମଣିଷ କରିବାକୁ ପଣ କରିଥିଲେ। ଆଉ ନିଜ ଗାଁ, ଘର, ସଂପର୍କୀୟ, ସଂସାରର ମୋହ ଛାଡ଼ି ଜୁଆଙ୍ଗଙ୍କୁ ନିଜ ପରିବାର କରିଥିଲେ।
ଏହି ନିସ୍ବାର୍ଥପର ସେବା ତାଙ୍କ ପରିଚୟ ବଦଳାଇଦେଇଛି। ଜମିଦାର ଘର ଝିଅ ଏବେ ‘ଜୁଆଙ୍ଗ ଅପା’ ଭାବେ ପରିଚୟ ପାଇଛନ୍ତି।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ