
ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଆସିଛି ଏକ ବଡ ଖବର। ବହୁ ଆଲୋଚନା ଓ ବିବାଦ ପରେ ଶେଷରେ ମୁଣ୍ଡ ନୂଆଁଇଛି ପାକିସ୍ତାନ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ‘ହାଇବ୍ରିଡ୍ ମଡେଲ୍’ରେ ଆୟୋଜନ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅନୁମୋଦନ କରିଛି। ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଏବଂ ଦୁବାଇରେ ଅନୁଷ୍ଠିତ ହେବ। ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ।
ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ହୋଇଛି। ଏହି ଚୁକ୍ତି ଅନୁସାରେ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପରେ କୌଣସି ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସିବ ନାହିଁ। ଅର୍ଥାତ ଭାରତୀୟ ଦଳ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ କଲମ୍ବୋରେ ଖେଳିବ। ଏହାଛଡ଼ା ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପାଇଁ ପିସିବିକୁ କୌଣସି ଅତିରିକ୍ତ ଆର୍ଥିକ ସହାୟତା ମିଳିବ ନାହିଁ। ଏହା ବଦଳରେ ବୋର୍ଡକୁ ୨୦୨୭ ପରେ ଯେକୌଣସି ଆଇସିସି ମହିଳା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଅଧିକାର ଦିଆଯିବ।ପ୍ରକାଶ ଥାଉ, ଭାରତ ସରକାର ଏହି ହାଇପ୍ରୋଫାଇଲ୍ ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳକୁ ପାକିସ୍ତାନ ପଠାଇବାକୁ ଅନୁମତି ଦେଇନଥିଲେ। ଏହି ନିଷ୍ପତ୍ତି ବିଷୟରେ ଆଇସିସିକୁ ସୂଚନା ଦେଇ ବିସିସିଆଇ ଏକ ଚିଠି ଲେଖିଥିଲା। ଏଭଳି ପରିସ୍ଥିତିରେ ‘ହାଇବ୍ରିଡ୍ ମଡେଲ୍’ ଏକମାତ୍ର ବିକଳ୍ପ ଥିଲା। ଏହାପରେ ଆଇସିସି ମଧ୍ୟ ଏହାର ସମାଧାନ ପାଇଁ ବିସିସିଆଇ ଓ ପିସିବି ସମେତ ଅନ୍ୟ ସଦସ୍ୟ ବୋର୍ଡକୁ ନେଇ ଏକାଧିକ ବୈଠକ କରିଥିଲା। ଆଇସିସି ବୈଠକରେ ଯଦିଓ ପ୍ରଥମେ ‘ହାଇବ୍ରିଡ୍ ମଡେଲ୍’ ପାଇଁ ପିସିବି ଅରାଜି ହୋଇଥିଲା, ହେଲେ ଏବେ ଏହାର ଆଭିମୁଖ୍ୟ ନରମ ହୋଇଛି।




