
ଦେବଗଡ଼: ଛାତ୍ର ସଂସଦ ନିର୍ବାଚନ। ଦେବଗଡ ଜିଲ୍ଲାର ମଡେଲ ଡିଗ୍ରି କଲେଜ, ପଳସମା କଲେଜ ଓ କଲା ପଞ୍ଚାୟତ ଡିଗ୍ରି କଲେଜରେ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ। ସେଥିପାଇଁ ମଙ୍ଗଳବାର ନିର୍ବାଚନୀ ପ୍ରଚାର ଶେଷ ହୋଇଥିବା ବେଳେ ଆଜି ପ୍ରାର୍ଥୀମାନଙ୍କୁ ନେଇ ‘ହ୍ବାଇ ଆଇ ଷ୍ଟାଣ୍ଡ ଫର୍’ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଭୋଟ୍ ହାତେଇବା ପାଇଁ ଛାତ୍ରଛାତ୍ରୀଙ୍କ ଆଗରେ ବିଭିନ୍ନ ମୁଦ୍ଦା ରଖିଥିଲେ। ଯେପରିକି, କଲେଜର ବିଭିନ୍ନ ସମସ୍ୟା ସମାଧାନ, ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବିର ସମାଧାନ ଆଦି ମୁଦ୍ଦା ଉପରେ ନିଜ ନିଜ ଭାଷଣ ରଖିଥିଲେ। ତେବେ କାହା ସପକ୍ଷରେ ଛାତ୍ରଛାତ୍ରୀଙ୍କ ବହୁମତ ଯିବ ତାହା ଆସନ୍ତାକାଲି ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡ଼ି। ପ୍ରକାଶଥାଉ କି ଉପରୋକ୍ତ ୩ଟି କଲେଜରେ ମୋଟ ୨୦ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି। ସେଥିମଧ୍ୟରେ ଦେବଗଡ଼ ମଡେଲ ଡିଗ୍ରି କଲେଜରେ ସଭାପତି ପଦ ପାଇଁ ୩ ଜଣ, ଉପସଭାପତି ପାଇଁ ୨ ଜଣ ତଥା ସାଧାରଣ ସଂପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟପଟେ ରିଆମାଳ ବ୍ଲକ ପଳସମା କଲେଜରେ ସଭାପତି ପଦ ପାଇଁ ୨ ଓ ଉପସଭାପତି ପଦ ପାଇଁ ୨ ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିବା ବେଳେ ବାରକୋଟ ବ୍ଲକ କଲା ପଞ୍ଚାୟତ ଡିଗ୍ରି କଲେଜରେ ସଭାପତି ପଦ ପାଇଁ ୪ ଜଣ, ଉପସଭାପତି ପଦ ପାଇଁ ୨ ଜଣ, ସାଧାରଣ ସଂପାଦକ ପଦ ପାଇଁ ୨ ଜଣଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଜଣାପଡ଼ିଛି।







