
ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ ଏହି ସୂଚନା ଦେଇଛନ୍ତି ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ସ୍ବିକୃତୀ ପ୍ରଦାନ କରିଛନ୍ତି । ଶାନ୍ତିଶୃଙ୍ଖଳାରେ ନିର୍ବାଚନ କରାଯିବ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ, କଲେଜରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ ବହୁଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯାଉଥିଲା । ଏଥିପାଇଁ ବିଶୃଙ୍ଖଳା ପରିସ୍ଥିତି ଉପୁଜୁଥିଲା । ଆମେ ୧୦ ଦିନ ଭିତରେ ନିର୍ବାଚନ ସାରିବା ପାଇଁ ନିଷ୍ପତ୍ତି ନେଇଛୁ । ଆମେ ଭାବୁଛୁ କ୍ୟାମ୍ପସ ହିଂସା କମ୍ ହେବ ।”
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଅକ୍ଟୋବର ୭ରେ ଏହି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । ୯ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ସେହି ଦିନ ଅପରାହ୍ନ ୨ଟାରୁ ୪ଟା ପର୍ୟ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା ୫ଟାରେ ବୈଧ ନାମ ପ୍ରକାଶିତ ହେବ । ୧୦ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ସମୟ ରହିବ । ସେହି ଦିନ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ପ୍ରାର୍ଥୀମାନେ ୧୪ ଅକ୍ଟୋବରରେ “ମୁଁ କାହିଁକି ଠିଆ ହୋଇଛି ” ବୈଠକ ହେବ । ୧୫ ଅକ୍ଟୋବରରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ ଚାଲିବ, ତା’ପରେ ଗଣନା ଆରମ୍ଭ ହେବ । ୧୬ ଅକ୍ଟୋବରରେ ସକାଳ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।








