
ଭୁବନେଶ୍ୱର: ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ ପ୍ରସଙ୍ଗରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି। ଏ ନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି। ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଜଗନ୍ନାଥ ଧାମ ନାଁ କଦାପି ଗ୍ରହଣୀୟ ନୁହେଁ ।ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେଇଥିବାବେଳେ ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ ଧାମ’ ରୂପେ ନାମକରଣ କରାଯାଇଛି। ଏପରି କି ନବକଳେବର ଦାରୁରେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ବ୍ରହ୍ମସ୍ଥାପନ ହୋଇଥିବା ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ। ତେବେ ପ୍ରତିଷ୍ଠା କାର୍ୟ୍ୟକ୍ରମରେ ପୁରୀରୁ ୭ରୁ ୮ଜଣ ଦଇତାପତି ସେବାୟତ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇଥିଲେ। ସେମାନଙ୍କର ପୂଜାବିଧି କର୍ତ୍ତବ୍ୟ କିଛି ନ ଥିଲା। ବ୍ରହ୍ମ ସ୍ଥାପନ କେବଳ ଗୋଟିଏ ସ୍ଥାନରେ ଅର୍ଥାତ ଶ୍ରୀମନ୍ଦିରରେ ହୁଏ, ଯାହା ନବକଳେବର ସମୟରେ ପରିବର୍ତ୍ତନ କରାଯାଇଥାଏ। ଅନ୍ୟ କୌଣସି ସ୍ଥାନରେ ବ୍ରହ୍ମ ଆସିପାରିବ ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର କହିଛନ୍ତି, ଏହା ହେଉଛି ଓଡ଼ିଆ ଜାତି ଓ ମହାପ୍ରଭୁଙ୍କ ସ୍ବାଭିମାନର ପ୍ରଶ୍ନ। ଏହି ସ୍ବାଭିମାନକୁ ସର୍ବଦା ଚ୍ୟାଲେଞ୍ଜ କରିବା ଭଳି କାର୍ୟ୍ୟ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।








