
ବ୍ରହ୍ମପୁର: ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଥାନା ଅଧିନସ୍ଥ ପାଳୁଖୋଳା ଜଙ୍ଗଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପାଟପୁର ଥାନା ପୋଲିସ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି । ମୃତ ଯୁବକ ଜଣଙ୍କ ହେଲେ ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମର ରାଜୁ ସେଠୀ ଓ ଯୁବତୀ ଜଣଙ୍କ ହେଲେ ପାଟପୁର ଥାନା ପଳାସପୁର ଗ୍ରାମର ସନ୍ତୋଷୀ ସେଠୀ ।
ପାଟପୁର ଥାନା ଏସଆଇ ତ୍ରିନାଥ ଭୋଇ, ଏଏସଆଇ କୃଷ୍ଣ ଦାସଙ୍କ ସମେତ ପୋଲିସ ଟିମ୍ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି ।
ପାଟପୁର ଥାନା ପୋଲିସ ସୂଚନା ମୁତାବକ ଉକ୍ତ ପାଳୁଖୋଳା ଗ୍ରାମର କିଛି ଲୋକ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ରାସ୍ତା କଡ଼ରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ଏହାର କିଛି ଦୂରରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଖବର ପାଇ ପୋଡ଼ାମାରି ଫାଣ୍ଡି ଏଏସଆଇ ପ୍ରଭାତ କୁମାର ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଯୁବକଙ୍କ ମୃତଦେହ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାକାର ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।
ପରେ ଯୁବତୀ ଜଣଙ୍କୁ ଉଦ୍ଧାର କରି ମଧ୍ୟ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଯୁବତୀ ଜଣଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ । ତେବେ ଉଭୟ ପ୍ରେମୀ ଯୁଗଳ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ବିଷ ପିଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ହେଲେ କେଉଁ କାରଣରୁ ଏବଂ କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।








