
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଜନ୍ତର ମନ୍ତରରେ ଚାଲୁଥିବା ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଆନ୍ଦୋଳନର ନେତୃତ୍ବ ନେବେ CJP ନେତା ଆଜିଙ୍କ୍ୟ ସିନ୍ଦେ । ଏନେଇ ଦିଲ୍ଲୀରେ ପ୍ରାୟ ୩୦ ହଜାର ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।
ଆଜି ଜନ୍ତର ମନ୍ତର ଠାରେ ଏକ ନୂତନ ବିକ୍ଷୋଭ ପାଇଁ CJP ଆହ୍ୱାନ ଦେଇଛି। CJP ଜାତୀୟ ସଂଗଠନ ପ୍ରଭାରୀ ଅଜିଙ୍କ୍ୟ ସିନ୍ଦେ କହିଛନ୍ତି ଯେ ଶନିବାର ପୁଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ସଂଗଠନ ଏହାର ଆନ୍ଦୋଳନ ଜାରି ରଖିବ । ସେ ସମର୍ଥକମାନଙ୍କୁ ଜନ୍ତର ମନ୍ତରରେ ଏକତ୍ରିତ ହେବାକୁ ଏବଂ ପୁଲିସ ସେମାନଙ୍କୁ ଅଟକାଇଥିବା ସ୍ଥାନରେ ପ୍ରତିବାଦ ଜାରି ରଖିବାକୁ ଅନୁରୋଧ କରିଛନ୍ତି ।
ଗତକାଲି ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ଓ କର୍ମୀମାନଙ୍କୁ ଅଟକ ରଖିଥିଲା । ଆଉ ଜନ୍ତରମନ୍ତର ହେବାକୁ ଥିବା ବିକ୍ଷୋଭ ସ୍ଥଳକୁ ଯିବା ପାଇଁ ଛାଡ଼ିନଥିଲା । ବିକ୍ଷୋଭକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା । ରାଜ୍ୟର ସୀମାକୁ କଡ଼ାକଡ଼ି ଭାବରେ ଯାଞ୍ଚ କରାଯିବା ସହିତ ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲ ଉପରେ ନଜର ରଖାଯାଉଥିଲା । ଏପରିକି ପ୍ରଦର୍ଶନକାରୀଙ୍କୁ ଏକତ୍ରିତ କରିବା ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମର ପୋଷ୍ଟ ଉପରେ ମଧ୍ୟ ନଜର ରଖାଯାଉଥିଲା ।ସୁରକ୍ଷା ବ୍ୟବସ୍ଥା ପରିଚାଳନାରେ ଦିଲ୍ଲୀ ପୁଲିସକୁ ସହାୟତା କରିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (CAPF)ର ୧୨୦ରୁ ଅଧିକ ଫୋର୍ସ ନିୟୋଜିତ ହୋଇଛନ୍ତି । ନୂଆଦିଲ୍ଲୀ ଜିଲ୍ଲାକୁ ୨୦ଟି ଜୋନ୍ରେ ବିଭକ୍ତ କରାଯାଇଛି । ଯୁଗ୍ମ କମିଶନର, ଡେପୁଟି କମିଶନର ଓ ଅତିରିକ୍ତ ଡେପୁଟି କମିଶନରମାନେ ଘଟଣାସ୍ଥଳରେ ସ୍ଥିତି ଉପରେ ନଜର ରଖିଛନ୍ତି। ବିଭିନ୍ନ ୟୁନିଟ୍ର ନେତୃତ୍ୱ ନେଉଥିବା ସ୍ୱତନ୍ତ୍ର କମିଶନରମାନେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି।ଆଇନ ଶୃଙ୍ଖଳା ଚିନ୍ତାର କାରଣ ଦର୍ଶାଇ ଦିଲ୍ଲୀ ପୋଲିସ ଶନିବାର ଜନ୍ତର ମନ୍ତରରେ ବିକ୍ଷୋଭ ପାଇଁ ଅନୁମତି ଦେଇନଥିଲା । ପ୍ରଦର୍ଶନକାରୀଙ୍କୁ ସଭାସ୍ଥଳକୁ ପହଞ୍ଚାଇ ନଦେବା ପାଇଁ ପୁଲିସ ବ୍ୟାପକ ଅଭିଯାନ ଚଳାଇଥିଲା । ଆଉ ପୁଲିସ ବହୁ ସଂଖ୍ୟକ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଥିଲା ।








