
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗାଁରେ ଚାଲିଥିଲା ଏକ ବଡ଼ଧରଣର ଜୁଆ ଆଡ୍ଡା । କେବଳ ପାରଳା ସହର ନୁହେଁ, ଗଜପତି ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସି ଲୋକମାନେ ଏଥଇରେ ସାମିଲ ହେଉଥିଲେ । ଏହାର ସୂଚନା ପାଇ ରବିବାର ସନ୍ଧ୍ୟାରେ ପୁଲିସ ଜୁଆଖେଳ ଉପରେ ଚଢ଼ଉ କରିଛି । ଜୟ ମାତାଜୀ କଲ୍ୟାଣ ମଣ୍ଡପରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ପ୍ରଶାନ୍ତ ଭୂପତି, କାଶୀନଗର ଥାନା ଅଧିକାରୀ ତ୍ରିନାଥ ସେଠୀ ଓ ଗାରାବନ୍ଧ ଥାନାଧିକାରୀ ପ୍ରଶାନ୍ତ ନିଶିକାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ଉ କରିଥିଲା । ପୁଲିସ ସେଠାରୁ ୭୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ନଗଦ ୧୨ ଲକ୍ଷ ୩ ହଜାର ଟଙ୍କା, ୯ଟି କାର୍, ୧୨ଟି ବାଇକ୍, ୬୦ଟି ମୋବାଇଲ୍ ଫୋନ୍ ଜବତ କରିଛି । ବିପୁଳ ପରିମାଣର ତାସ୍ ପ୍ୟାକେଟ୍, ପାଣି ବୋତଲ ସେଠାରୁ ମିଳିଥିଲା ।
ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ପରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ଆଦର୍ଶ ଥାନାଧିକାରୀ । ଧରା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ଆନ୍ଧ୍ରପ୍ରଦେଶର ଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଜଣ ସରକାରୀ ଚାକିରି ମଧ୍ୟ କରୁଥିବା ଆଲୋଚନା ହେଉଛି । ଯେହେତୁ ଓଡ଼ିଶା, ଆନ୍ଧ୍ରପ୍ରଦେଶର ଲୋକମାନେ ଏଥିରେ ସମ୍ପୃକ୍ତ ତେଣୁ ଏହି ବଡ଼ଧରଣର ଜୁଆ ଆଡ୍ଡା କେଉଁମାନେ ଚଲାଉଥିଲେ, ଏହା ପଛର ମାଷ୍ଟର୍ମାଇଣ୍ଡ୍ କିଏ ସେନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ କରୁଛି ପୁଲିସ ।








