
ଗତ କାଲି ନିଯୁକ୍ତି ପାଉ ପାଉ ଆଜି ପ୍ରତ୍ୟାହାର। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟ ଜ୍ୟୋତିଷ ରିକି ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି ଭାବେ ନିଯୁକ୍ତ କରିଥିଲେ। କିନ୍ତୁ ଏହି ନିଷ୍ପତ୍ତିକୁ ନେଇ ଟିଭିକେର ସମର୍ଥକ ଦଳ ଓ ବିରୋଧୀ ଶିବିରରୁ ତୀବ୍ର ସମାଲୋଚନା କରାଯିବାବା ପରେ ସରକାର ପଛକୁ ହଟିଛି। ନିଯୁକ୍ତି ଘୋଷଣାର କେବଳ ଗୋଟିଏ ଦିନ ମଧ୍ୟରେ ଭେଟ୍ରିଭେଲଙ୍କ OSD ପଦବୀକୁ ରଦ୍ଦ କରାଯାଇଛି। ବିଜୟଙ୍କ ଏହି ପଦକ୍ଷେପ ତାମିଲନାଡୁର ରାଜନୈତିକ ମହଲରେ ଏକ ବଡ଼ ବିବାଦ ସୃଷ୍ଟି କରିଥିଲ। ଟିଭିକେ ସରକାରଙ୍କୁ ସମର୍ଥନ ଦେଇଥିବା ବିଦୁଥଲାଇ ଚିରୁଥାଇଗଲ କାଚି (ଭିସିକେ), ସିପିଆଇଏମ୍ ଏବଂ ସିପିଆଇ ଭଳି ଦଳ ଖୋଲାଖୋଲି ଭାବରେ ଏହି ପଦକ୍ଷେପକୁ ସମାଲୋଚନା କରିଥିଲେ।
ରିକି ରାଧନ ପଣ୍ଡିତ ଭେଟ୍ରିଭେଲ ଦୀର୍ଘଦିନ ଧରି ବିଜୟଙ୍କ ନିକଟ ସହଯୋଗୀ ଭାବେ ପରିଚିତ। ସେ ପୂର୍ବରୁ ତାମିଲଗା ଭେଟ୍ଟ୍ରି କାଝାଗମ ନିର୍ବାଚନରେ ବଡ଼ ବିଜୟ ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ନିର୍ବାଚନ ସମୟରେ ସେ ଦଳର ପ୍ରଚାର ଓ ରାଜନୈତିକ କାର୍ଯ୍ୟକଳାପରେ ମଧ୍ୟ ସକ୍ରିୟ ଥିଲେ।କିନ୍ତୁ ଜ୍ୟୋତିଷଙ୍କୁ ସରକାରୀ ଭୂମିକା ଦେବାକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା। କଂଗ୍ରେସ ସାଂସଦ ଶଶିକାନ୍ତ ସେନ୍ଥିଲ୍ ସୋସିଆଲ ମିଡିଆରେ ପ୍ରଶ୍ନ କରିଥିଲେ, “ଜ୍ୟୋତିଷଙ୍କୁ OSD ପଦବୀ କାହିଁକି ଦରକାର?” ଅନ୍ୟପଟେ CPI(M) ଓ CPI ନେତାମାନେ ମଧ୍ୟ ବିରୋଧ କରିଥିଲେ।ବିରୋଧୀ ଦଳମାନେ ମଧ୍ୟ ବିଜୟ ସରକାରକୁ ଟାର୍ଗେଟ କରିଥିଲେ। ସରକାରୀ ଟଙ୍କାରେ ଜ୍ୟୋତିଷଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବା ଶାସନ ବ୍ୟବସ୍ଥାର ଗୁରୁତ୍ୱକୁ କ୍ଷୁଣ୍ଣ କରିବ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ରାଜନୈତିକ ଚାପ ବଢ଼ିବା ସହ ବିଜୟ ସରକାର ନିଷ୍ପତ୍ତି ପୁନର୍ବିଚାର କରିଥିଲେ।ଶେଷରେ ବଢ଼ୁଥିବା ବିବାଦ ଓ ଟିଭିକେ ସପକ୍ଷରେ ଥିବା ଦଳମାନଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଭେଟ୍ରିଭେଲଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଛି।
