
ଭୁବନେଶ୍ୱର: ଝାରଖଣ୍ଡରୁ ଆସି ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲା ବାଘୁଣୀ ‘ଜିନ୍ନତ’। ଜମାରୁ ସେ ଶିମିଳିପାଳ ଅଭୟାରଣ୍ୟକୁ ଫେରୁନଥିଲା। ଯାହାକୁ ନେଇ ପଡ଼ିଯାଇଥିଲେ ଶିମିଳିପାଳ ପ୍ରାଣି ଉଦ୍ୟାନ୍ କର୍ତ୍ତୃପକ୍ଷ। ଦୀର୍ଘ ସମୟର ଲୁଚକାଳି ପରେ ଆଜି ବାଘୁଣୀ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ‘ଜିନ୍ନତ’ ଟ୍ରାଙ୍କୁଲାଇଜ୍ ନେଇ ସୂଚନା ଦେଇଛନ୍ତି ବାରିପଦା ଆରସିସିଏଫ ପ୍ରକାଶ ଗୋଗିନେନି।
ଝାଡ଼ଖଣ୍ଡ ଛାଡ଼ିବା ପରେ ‘ଜିନ୍ନତ’ ପଶ୍ଚିମବଙ୍ଗର ଝାରଗ୍ରାମ, ପୁରୁଲିଆ ଦେଇ ବାଙ୍କୁରା ଜିଲ୍ଲାରେ ଘୁରି ବୁଲୁଲା। ତା’ର ଗତିବିଧି ଉପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଥିଲେ। ‘ଜିନ୍ନତ ’ ଶିମିଳିପାଳ ଫେରୁନଥିବାରୁ ଟ୍ରାଙ୍କୁଲାଇନ୍ କରିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ତେଣୁ ଟ୍ରାଙ୍କୁଲାଇଜ୍ ପାଇଁ ସ୍ୱତନ୍ତ୍ର ଟିମ୍ ବାଙ୍କୁରା ଯାଇଥିଲା। ହେଲେ ବନ ବିଭାଗ କର୍ମଚାରୀଙ୍କୁ ଚକ୍ମା ଦେଇ ଲୁଚି ଯାଉଥିଲା ‘ଜିନ୍ନତ’। ଯାହାଫଳରେ ଟ୍ରାଙ୍କୁଲାଇଜ୍ କରାଯାଇ ପାରୁନଥିଲା।




