
ଡେରାଡୁନ: 600 ଟଙ୍କା ପାଇଁ ତିନି ଜଣଙ୍କୁ ହତ୍ୟା । ଏଭଳି ଚାଞ୍ଚଲ୍ୟକର ଘଟଣା ଉତ୍ତରାଖଣ୍ଡର ଡେରାଡୁନ ସହରରେ ଘଟିଛି । ଜଣେ ପାଣି ପାଇପ ମିସ୍ତ୍ରୀ ମାତ୍ର 600 ଟଙ୍କା ପାଇଁ ବୃଦ୍ଧ ଦମ୍ପତିଙ୍କ ସହ ଘରୋଇ ସହାୟିକାକୁ ମଧ୍ୟ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡର କିଛି ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ପରିଚୟ ଡେରାଡୁନର ରାଜକୁମାର ଭାବେ ଜଣାପଡିଛି । ରାୟପୁର ଥାନା ଅଧୀନସ୍ଥ ବିଷ୍ଣୁଲୋକ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ପୋଲିସ ପ୍ରଥମେ ତାକୁ ଅଟକ ରଖିବା ପରେ ଗିରଫ କରିଛି ।
ବିଷ୍ଣୁ ଲୋକ କଲୋନୀର ତପୋବନ ରୋଡ୍ ନିକଟ ୧୬ ନମ୍ବର ଘରେ ରହୁଥିବା ୮୫ ବର୍ଷୀୟ ରମେଶ କପୁର, ପତ୍ନୀ ରଜନୀ କପୁର (୭୬) ଏବଂ ଘରୋଇ ସହାୟିକା (45) ଶୀଲାଙ୍କୁ ଅଭିଯୁକ୍ତ ହତ୍ୟା କରିଛି। ଅଭିଯୁକ୍ତ ଜଣକ ବୃଦ୍ଧ ଦମ୍ପତିଙ୍କ ସହ ପୂର୍ବରୁ ପରିଚିତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଘରର ପାଣି ପାଇପ କାମ ପାଇଁ ପରିବାର ଲୋକେ ତାଙ୍କୁ ପ୍ରାୟତଃ ଘରକୁ ଡାକୁଥିଲେ । ସେହି ସମୟରେ ମଜୁରୀକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
ହତ୍ୟାକାଣ୍ଡ ଦିନ ମଧ୍ୟ ପୂର୍ବାହ୍ନରେ ପାଣି ପାଇପ କାମ ପାଇଁ ଦମ୍ପତିଙ୍କ ଘରକୁ ଯାଇଥିଲା ଅଭିଯୁକ୍ତ। କାମ ସରିବା ପରେ ଅଭିଯୁକ୍ତ ୬୦୦ ଟଙ୍କା ମଜୁରୀ ମାଗିଥିଲେ । କିନ୍ତୁ ଦମ୍ପତି ତାଙ୍କୁ ମାତ୍ର ୩୦୦ ଟଙ୍କା ଦେବାକୁ କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ଦମ୍ପତିଙ୍କୁ ହତ୍ୟା କରିଥିଲା । ଅଭିଯୁକ୍ତ ରାଜକୁମାର ପୋଲିସକୁ କହିଛି ଯେ ଦମ୍ପତି ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ଯେଉଁଥିପାଇଁ ସେ ନିଜ ପାଖରେ ଥିବା ସ୍କ୍ରୁ-ଡାଇଭର ସାହାଯ୍ୟରେ ସେମାନଙ୍କୁ ଆକ୍ରମଣ କରିଥିଲା।
ଡେରାଦୂନ ଏସଏସପି ପ୍ରମେନ୍ଦ୍ର ଡୋଭାଲ କହିଛନ୍ତି ଯେ ‘‘ଆଜି ସକାଳେ ପୋଲିସ ସୂଚନା ପାଇଥିଲା ଯେ ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସେମାନଙ୍କ ଘରେ କାମ କରୁଥିବା ଘରୋଇ ସହାୟିକା ମଧ୍ୟ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ସ୍କ୍ରୁ-ଡ୍ରାଇଭର ଆକ୍ରମଣର ଶିକାର ହୋଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତ ବ୍ୟକ୍ତି ଜଣକ ଭେଲ୍ (BHEL) ର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ। ସେପଟେ ଗିରଫ ଅଭିଯୁକ୍ତ ରାଜକୁମାର ମୂଳତଃ ବିଜନୌର ଜିଲ୍ଲାର କିରାତପୁର ଥାନା ଅନ୍ତର୍ଗତ ବାନ୍ଦାର ବାସିନ୍ଦା । ବର୍ତ୍ତମାନ ସେ ଶହାରନପୁର ଚୌକର ଇନ୍ଦ୍ରେଶ ନଗର ନିକଟରେ ରହୁଛି। ପୋଲିସ ଏହି ଘଟଣା ପରେ ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି। ମୃତ ଦମ୍ପତିଙ୍କ ଦୁଇ ପୁଅ ପୁଣେ ଏବଂ ଦିଲ୍ଲୀରେ ରୁହନ୍ତି’’।








