
ବୌଦ୍ଧ: ଦୁଇ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା । ଦୁଇ ମୃତ, ୭ ଗୁରୁତର । ବାପା ଓ ୮ ବର୍ଷର ଝିଅର ମୃତ୍ୟୁ ହୋଇଛି । ମୃତକ ଚରିଆପାଲି ଗାଁର ଗଜେନ୍ଦ୍ର ମଲ୍ଲିକ ଓ ଝିଅ ଲିପସା ମଲ୍ଲିକ । ଆଦର୍ଶ ଥାନା ଅନ୍ତର୍ଗତ ଗୋନ୍ଦିସର ନିକଟରେ ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ଚରିଆପାଲି ଗ୍ରାମର ଗଜେନ୍ଦ୍ର ମଲ୍ଲିକ ଡିଲେଜୁ ଗ୍ରାମର ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେଇ ପରିବାର ସହ ନିଜ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ବୀପରିତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ଗୌନ୍ଦିସର ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗଜେନ୍ଦ୍ର ମଲ୍ଲିକ, ତାଙ୍କ ପତ୍ନୀ ଓ ତିନି ଶିଶୁ କନ୍ୟା ଗୁରୁତର ଆହତ ହୋଇଥିଲେ ।
ସେହିପରି ଅନ୍ୟ ବାଇକ୍ ଆରୋହୀ ଗୋଛାପଡା ଗ୍ରାମର ସଂଜୀବ ବାଘ, ଯଶୋବନ୍ତ ବାଘ, ଗୋବିନ୍ଦ ଝାଙ୍କର ଓ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଥିଲେ । ତେବେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ବୌଦ୍ଧ ଡାକ୍ତରଖାନା ଅଣାଯାଇଥିଲା । ତେବେ ମେଡିକାଲରେ ଡାକ୍ତର ଗଜେନ୍ଦ୍ର ମଲ୍ଲିକ ଓ ତାଙ୍କ ୮ ବର୍ଷର ଝିଅ ଲିପସା ମଲ୍ଲିକଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅନ୍ୟ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି କ୍ଷ ତେବେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।








