
ଭୁବନେଶ୍ୱର: ରବିବାରଠାରୁ କମିଯିବ ବର୍ଷା । ଅଳ୍ପ କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଅବପାତ ଶ୍ରୀକାକୁଲମ ପାଖରେ ପହଞ୍ଚିବା ପରେ କ୍ରମଶଃ ଦୁର୍ବଳ ହୋଇଛି । ରବିବାର ସନ୍ଧ୍ୟା ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶନିବାର ଭୋର୍ ୫ଟାରୁ ଏହି ଅବପାତ ଶ୍ରୀକାକୁଲମ ପାଖରେ ସ୍ଥଳଭାଗ ଅତିକ୍ରମ କରିଛି । ଏହା ସ୍ଥଳଭାଗ ପାଖରେ ପହଞ୍ଚିବା ମାତ୍ରେ କ୍ରମଶଃ ଦୁର୍ବଳ ହୋଇଥିଲା । ଏହା ଆଗକୁ ଆହୁରି ଦୁର୍ବଳ ହୋଇଯିବ । ଏଥିପାଇଁ ବର୍ଷା କମିଯିବ । ୩୦ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ମୌସୁମୀ ପ୍ରଭାବରେ ଅଳ୍ପ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୩୦ରେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧ ତାରିଖରେ ଏହା ପୁଣି ଲଘୁଚାପ ରୂପ ନେବ । ୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨ରେ ରାଜ୍ୟତମାମ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ । କିଛି ସ୍ଥାନରେ ଭାରୀ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଭାଗର ଆକଳନ କହୁଛି, ୨୪ ଘଣ୍ଟାରେ ଅବପାତ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପକୁ ଖସି ଆସିବ । ଏହା ଦୁର୍ବଳ ହେଉଥିବାରୁ ୨୮ ତାରିଖ(ରବିବାର) ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ୨୯ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା ଅଛି । କିନ୍ତୁ କୌଣସି ସ୍ଥାନରେ ଅଧିକ ବର୍ଷା ହେବନି ବୋଲି ପୂର୍ବାନୁମାନ ଦିଆଯାଇଛି ।
୧ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ପୁଣି ବର୍ଷା ବଢ଼ିବ ।




