ଦେଶର ପ୍ରକୃତ ସମୃଦ୍ଧି ଅବହେଳିତ ସମ୍ପ୍ରଦାୟକୁ ପ୍ରଦାନ କରାଯାଉଥିବା ମର୍ୟ୍ୟାଦା ଦ୍ଵାରା ମପାଯାଏ: ରାଜ୍ୟପାଳ

ଭୁବନେଶ୍ଵର: ଦେଶର ପ୍ରକୃତ ସମୃଦ୍ଧି ସଂଖ୍ୟା କିମ୍ବା ଭିତ୍ତିଭୂମିରେ ମପାଯାଏ ନାହିଁ ବରଂ ଏହାର ସବୁଠାରୁ ଅବହେଳିତ ସମ୍ପ୍ରଦାୟକୁ ପ୍ରଦାନ କରାଯାଉଥିବା ମର୍ୟ୍ୟାଦା ଏବଂ ସୁଯୋଗ ଦ୍ଵାରା ମପାଯାଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଚଳିତ ଅଗଷ୍ଟ ୩୦ ତାରିଖ ଦିନ ଲୋକସେବା ଭବନର କନଭେନସନ ହଲ ଠାରେ ଆୟୋଜିତ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ର ଅଧ୍ୟକ୍ଷ ମାନଙ୍କର ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି କାର୍ୟ୍ୟକ୍ରମରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନାରାୟଣ ସିଂହ, ସଂସଦର ଅନୁସୂଚିତ ଜାତି ଓ ଜନଜାତି କମିଟିର ଅଧକ୍ଷ ଡ. ଫଗନ୍ ସିଂହ କୁଲସ୍ତେ, ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଶାର ସଂସଦୀୟ ବ୍ୟାପାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ ମୁକେଶ ମହାଲିଂଗ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ସଂସଦ, ରାଜ୍ୟ ବିଧାନସଭା ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରତିନିଧି ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ” ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ସଶକ୍ତିକରଣରେ ସଂସଦୀୟ ଏବଂ ବିଧାନ ସଭା କମିଟିର ଭୂମିକା” ବିଷୟବସ୍ତୁ ଉପରେ ଉକ୍ତ ଜାତୀୟ ସମ୍ମିଳନୀ କେନ୍ଦ୍ରିତ ଥିଲା। ଏହି ସମାରୋହରେ ରାଜ୍ୟପାଳ ଡ କମ୍ଭମପାଟି ଉଦବୋଦନ ଦେଇ କହିଥିଲେ ଯେ, ଅନୁସୂଚିତ ଜାତି ଏବଂ ଜନଜାତି କେବଳ ଭାରତର ସାମାଜିକ ସଂରଚନାର ଅବିଚ୍ଛେଦ୍ୟ ଅଂଶ ନୁହନ୍ତି ବରଂ ଦେଶର ଇତିହାସ, ସଂସ୍କୃତି ଏବଂ ଐତିହ୍ୟର ରକ୍ଷକ ମଧ୍ୟ। ସେମାନଙ୍କର କଲ୍ୟାଣ କେବଳ ନୀତିର ପ୍ରଶ୍ନ ନୁହେଁ ଏହା ସମାନତା, ମର୍ୟ୍ୟାଦା ଏବଂ ଭାଇଚାରାର ସ୍ତମ୍ଭ ଉପରେ ପ୍ରତିଷ୍ଠିତ ଗଣତନ୍ତ୍ର ଭାବରେ ଆମର ପ୍ରଗତିର ମାପକାଠି ବୋଲି ରାଜ୍ୟପାଳ କହିଥିଲେ। ସାମ୍ବିଧାନିକ ସୁରକ୍ଷାକୁ ଅର୍ଥପୂର୍ଣ୍ଣ କାର୍ୟ୍ୟରେ ପରିଣତ କରିବାରେ ସଂସଦୀୟ ଏବଂ ରାଜ୍ୟ ବିଧାନ ସଭା କମିଟି ଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ କହିଥିଲେ। ନୀତି ଗୁଡ଼ିକର ଯାଞ୍ଚ ଏବଂ ଉତ୍ତରଦାୟିତ୍ଵ ସୁନିଶ୍ଚିତ କରିବାରେ ସେମାନଙ୍କର ପ୍ରୟାସ ତୃଣମୂଳ ସ୍ତରରେ ବିକାଶ ପହଞ୍ଚାଇବା ଦିଗରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ରାଜ୍ୟର ଜନସଂଖ୍ୟାର ପ୍ରାୟ ୨/୫ ଅନୁସୂଚିତ ଜାତି ଏବଂ ଜନଜାତି ଅନ୍ତର୍ଭୁକ୍ତ, ଯେଉଁଥିରେ ୬୪ ଜନଜାତି ସମ୍ପ୍ରଦାୟ ଏବଂ ୧୩ ପିଭିଟିଜି ଅନ୍ତର୍ଭୁକ୍ତ ଅଟନ୍ତି। ରାଜ୍ୟପାଳ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରେରଣାଦାୟକ ଯାତ୍ରା ଏବଂ ନିକଟ ଅତୀତରେ ନୀଟ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ମାଲକାନଗିରି ଜିଲ୍ଲାର ଦିଦାୟୀ ପିଭିଟିଜି ବର୍ଗର ପ୍ରଥମ ଛାତ୍ରୀ ଭାବେ ଚମ୍ପା ରାସପେଦାଙ୍କ ସଫଳତା ଶିକ୍ଷା ଏବଂ ସୁଯୋଗର ପରିବର୍ତ୍ତନକାରୀ ଶକ୍ତିର ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ନ୍ୟାୟକୁ ସମର୍ଥନ କରୁଥିବା, ବିବିଧତାକୁ ସମ୍ମାନ ଦେଉଥିବା ଏବଂ ସମସ୍ତଙ୍କ ପାଇଁ ମର୍ୟ୍ୟାଦା ଓ ସଶକ୍ତିକରଣକୁ ସୁନିଶ୍ଚିତ କରୁଥିବା ଭାରତ ଗଠନ ପାଇଁ ସମସ୍ତ ସହଭାଗୀ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ବାନ ଜଣାଇଥିଲେ। ଏହି ସମାରୋହରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦବୋଧନ ଦେଇ ସମସ୍ତେ ନୂତନ ଉତ୍ସାହ ଓ ଶକ୍ତି ସହିତ ସମାଜ ମଙ୍ଗଳ ପାଇଁ ପ୍ରତିବଦ୍ଧ ହେବ। ସହିତ ଅବହେଳିତ ବର୍ଗଙ୍କ ପାଇଁ କାମ କରିବାକୁ ଆହ୍ବାନ ଜଣାଇଥିଲେ। ସମ୍ବିଧାନ ପ୍ରଣେତା ବାବାସାହେବ ଡ. ଆମ୍ବେଦକରଙ୍କ ଦର୍ଶନକୁ ଆଧାରକରି ଦେଶ ପାଇଁ ରୋଡମ୍ୟାପ ପ୍ରସ୍ତୁତି କରିବାରେ ଉକ୍ତ ଜାତୀୟ ସମ୍ମିଳନୀ ପ୍ରେରଣା ଯୋଗାଇବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଥିଲେ। ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରି ବଂଶ ନାରାୟଣ ସିଂହ ନିଜ ଉଦବୋଧନରେ କହିଥିଲେ ଯେ କେବଳ କାଗଜରେ ନୀତି ନପରଖି ବାସ୍ତବ କ୍ଷେତ୍ରରେ ଯୋଜନା ତୃଣମୂଳ ସ୍ତରରେ ସଠିକ୍ ଭାବରେ କାର୍ୟ୍ୟକାରୀ ହେଲେ ସମାଜ ଓ ଦେଶର ମଙ୍ଗଳ ହେବ । ଏତଦ୍ ବ୍ୟତୀତ ସେବା ଲୋକଙ୍କ ପାଖକୁ ସରଳ ଭାବେ ପହଞ୍ଚାଇବା ପାଇଁ ପ୍ରଯୁକ୍ତି ବିଦ୍ୟା ଏବଂ ସୁଶାସନର ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ସଂସଦର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଡ଼. ଫଗନ ସିଂହ କୁଲସ୍ତେ ନିଜ ବକ୍ତବ୍ୟରେ ଏହି ସମ୍ମିଳନୀ ଭବିଷ୍ୟତ ପାଇଁ ମାର୍ଗଦର୍ଶିକା ଭାବେ ଉପଯୋଗି ହେବ ଏବଂ ଏ ଦିଗରେ ସମସ୍ତଙ୍କର ସହଯୋଗ ଓ ସହଭାଗିତା କାମନା କରିଥିଲେ। ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏପରି ଜାତୀୟ ସ୍ତରୀୟ ସମ୍ମିଳନୀର ଆୟୋଜନ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେଇଥିବାରୁ ଲୋକସଭା ବାଚସ୍ପତିଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିମାନେ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ପ୍ରାକୃତିକ ବୈଭବରେ ନିଜକୁ ସାମିଲ କରିଥିବାରୁ ସାଧୁବାଦ୍ ଜଣେଇଥିଲେ। ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ବକ୍ତବ୍ୟରେ ଅମୃତ କାଳରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ବିକାଶ ଜରୁରୀ ଅଟେ ବୋଲି କହିଥିଲେ । ୨୦୩୬ ଭିଜନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ସମ୍ପନ୍ନ ହେବ । ଲକ୍ଷପତି ଦିଦି ଏବଂ ସୁଭଦ୍ରା ପରି ଯୋଜନାର ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଂଗ ନିଜ ବକ୍ତବ୍ୟରେ ଓଡ଼ିଶାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଅବତାରଣା କରି ଅନୁସୂଚିତ ଜାତି ଓ ଜନଜାତି ପାଇଁ ଉପଲବ୍ଧ ବଜେଟର ଶତ ପ୍ରତିଶତ ବିନିଯୋଗ ପାଇଁ ବଦ୍ଧ ପରିକର ହେବା ପାଇଁ କହିଥିଲେ। ଏତଦ୍ ବ୍ୟତୀତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଏବଂ ଚିକିତ୍ସା, ଶିକ୍ଷା କ୍ଷେତ୍ରରେ ବୃତ୍ତି ଏବଂ ଡ୍ରପ ଆଉଟ ହାର କମାଇ ଅବହେଳିତ ବର୍ଗର ଉନ୍ନତି କରିବାକୁ ପ୍ରଟିବଦ୍ଧ ହେବାକୁ କହିଥିଲେ।

  • Related Posts

    ସଚିବସ୍ତରୀୟ ବୈଠକ ଏକ ପ୍ରକାର ଯୋଜନା ପାଇଁ ଏକୀକୃତ ବ୍ୟବସ୍ଥା

    ଭୁବନେଶ୍ବର: ମାର୍ଚ୍ଚ ଶେଷ ସୁଦ୍ଧା ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ୍ ଅନୁମୋଦନ ଅନୁସାରେ ସାମଗ୍ରିକ ବ୍ୟୟ ପୂର୍ବ ବର୍ଷ ଏହି ସମୟ ତୁଳନାରେ ୮.୮% ବୃଦ୍ଧି ପାଇଛି। କାର୍ଯ୍ୟକ୍ରମ ବାବଦକୁ ବ୍ୟୟ ସାମଗ୍ରିକ ଭାବେ ୧୦% ବୃଦ୍ଧି ଘଟିଛି। ରାଜ୍ୟର ସାମଗ୍ରିକ…

    Continue reading
    କ୍ୟାବିନେଟ: ମୋହନ ସରକାର ଆଣିଛନ୍ତି ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ କ୍ୟାବିନେଟର ମୋହର । ଆର୍ଥିକ ବର୍ଷ ୨୦୨୬-୨୭ରୁ ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ । ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ରାସନ କାର୍ଡ ଧାରୀଙ୍କୁ ମିଳିବ ଆଉ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ