ନିୟମକୁ ଉଲଂଘନ କରି ତଦନ୍ତ କରୁଛି ପୋଲିସ:କଂଗ୍ରେସ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରେ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ବଳଙ୍ଗା ପୋଡି ଏବଂ ପଟ୍ଟାମୁଣ୍ଡାଇରେ ଘଟିଥିବା ସଦ୍ୟ ଆତ୍ମାହୁତି ତଦନ୍ତକୁ ନେଇ ସରକାର ଏବଂ ପୁଲିସର ନକରାତ୍ମକ ଭୂମିକା ବିଷୟରେ ଉପସ୍ଥିତ କଂଗ୍ରେସ ମୁଖପାତ୍ରଗଣ ତଥ୍ୟ ପ୍ରଦାନ କରିଥିଲେ ।ସମ୍ମିଳନୀ ପ୍ରାରମ୍ଭରେ ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ୟ୍ୟାତନାର ତାଲିକା ପ୍ରଦାନ କରି କହିଛନ୍ତି ଯେ, ନାରୀ ନିର୍ୟାତନା କ୍ଷେତ୍ରରେ ପୂର୍ବ ସରକାରର କୁଖ୍ୟାତି ସାଥିରେ ବର୍ତ୍ତମାନର ସରକାର ବୋଧହୁଏ ପ୍ରତିଦ୍ବନ୍ଦିତା କରୁଛନ୍ତି । ସରକାର କିମ୍ବା ପ୍ରଶାସନ ଅଭିଯୁକ୍ତଙ୍କୁ କାଠଗଡାକୁ ଆଣିବାରେ କୌଣସି ତତ୍ପରତା ଦେଖାଉ ନାହାନ୍ତି। ତେଣୁ ଅପରାଧୀ ନିର୍ଭୟରେ ତାଙ୍କ ଅମାନୁଷିକ କାର୍ୟ୍ୟକଳାପ କରି ଚାଲିଛନ୍ତି। ଗୋଟିଏ ମାସ ମଧ୍ୟରେ ଲାଗ ଲାଗ ଦୁଇଗୋଟି କନ୍ୟା ଆତ୍ମାହୁତି କଲେଣି ଏବଂ ଅନ୍ୟ ଏକ କନ୍ୟାକୁ ଦୁର୍ବୃତ୍ତ ପୋଡି ଦେଇଛନ୍ତି । ସବୁଠୁ ବଡ଼ ପ୍ରସଙ୍ଗ ହେଲା ଯଦି ପୁଲିସ ଏବଂ ସରକାର ପୂର୍ବରୁ ସାମାନ୍ୟ ପଦକ୍ଷେପ ନେଇଥାନ୍ତେ ତେବେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳି ନ ଥାନ୍ତା । ପୁଲିସ ତଦନ୍ତ କରୁଛି କିନ୍ତୁ ଆଶ୍ଚର୍ୟ୍ୟର ବିଷୟ, ମୁଖ୍ୟ ଅପରାଧୀ ମାନଙ୍କୁ ପୁଲିସ ଧରିପାରୁନି । ଏହା ବଡ଼ ପ୍ରଶ୍ନ ଯେ ପ୍ରକୃତରେ ପୁଲିସ ଅଭିଯୁକ୍ତଙ୍କୁ ଧରିପାରୁନି କି ଧରିବାକୁ ଚାହୁଁନି ? ସରକାରଙ୍କ ଏତାଦୃଶ ସନ୍ଦେହାତ୍ମକ କାର୍ୟ୍ୟକଳାପ ଯୋଗୁଁ ନାରୀ ନିର୍ୟାତନା ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଉପରେ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥି ପାଇଁ ସରକାରଙ୍କ ଅଭିପ୍ରାୟ ଏବଂ ନାରୀଙ୍କ ପାଇଁ କେତେ ସମ୍ବେଦନଶୀଳ, ସୂଚାଇ ଦେଉଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ବଳିଷ୍ଠ ନେତୃତ୍ୱରେ ନାରୀ ନ୍ୟାୟକୁ ଆଗାମୀ ଦିନରେ ରାଜ୍ୟରେ ଏକ ଐତିହାସିକ ଆନ୍ଦୋଳନର ରୂପ ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ ସୂଚନା ପ୍ରଦାନ କରିଥିଲେ ।
ନାରୀ ନିର୍ୟାତନା ଏବଂ ଏହାକୁ ନେଇ ଚାଲିଥିବା ତଦନ୍ତ ପ୍ରକ୍ରିୟାରେ ପୁଲିସ କିଭଳି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛି ବୋଲି କଂଗ୍ରେସ ମୁଖପାତ୍ର ଆଇନଜୀବୀ ଶ୍ରୀ ନିଶିକାନ୍ତ ମିଶ୍ର ତଥ୍ୟ ସହିତ ନିଜ ବକ୍ତବ୍ୟ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ। ମୁଖପାତ୍ର ଶ୍ରୀ ମିଶ୍ର କହିଥିଲେ ଯେ, ଆଜି ନାରୀ ନିର୍ୟାତନା କ୍ରମାଗତ ଭାବେ ପ୍ରତ୍ୟହ ଖବର କାଗଜ ଶିରୋନାମା ମଣ୍ଡନ କରୁଛି । ବଳଙ୍ଗା ଘଟଣାରେ ଆଇନଗତ ଆଧାରରେ ତଦନ୍ତ ହେବା କଥା କିନ୍ତୁ ହୋଇନି । ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁର ତିନି ଘଣ୍ଟା ପରେ ଓଡିଶା ପୋଲିସ ବଳଙ୍ଗା ପୋଡି ଘଟଣାରେ କେହି ସାମିଲ ନ ଥିବା ମନ୍ତବ୍ୟ ନିଜ ବିଭାଗୀୟ ସାମାଜିକ ଗଣମାଧ୍ୟରେ ପ୍ରକାଶ କରିଛନ୍ତି ଯାହାକି ପୁଲିସର ଭୂମିକାକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି । ଏଥିରୁ ସ୍ପଷ୍ଟ ଜଣା ପଡୁଛି ପୀଡ଼ିତାଙ୍କ ମାଆ ଦେଇଥିବା ଏତଲା ଓ ବିଏନଏସ ଅନୁସାରେ ତଦନ୍ତ ନ କରି ସରକାର ଦେଇଥିବା ସଂଳାପ ଅନୁସାରେ ତଦନ୍ତ କରୁଛି ବୋଲି ମୁଖପାତ୍ର ଶ୍ରୀ ମିଶ୍ର ସରକାରଙ୍କୁ ନିଶାନା କରିଛନ୍ତି । ମୃତ୍ୟୁର ତିନିଦିନ ପୂର୍ବରୁ ପୁରୀ ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ତଦନ୍ତ ସମୟରେ ଆମ ପାଖରେ ଅନେକ ତଥ୍ୟ ଲାଗିଛି । ଘଟଣା ସ୍ପର୍ଶକାତର ହୋଇଥିବା ଯୋଗୁଁ ଅପରାଧୀଙ୍କୁ ଧରିବା ପାଇଁ ଆହୁରି ସମୟ ନେଉଛୁ । ବଳଙ୍ଗା ପୀଡ଼ିତାଙ୍କୁ ପୋଡି ମାରି ହତ୍ୟା ଉଦ୍ୟମ କରା ଯାଇଥିଲା । ପୀଡ଼ିତାଙ୍କୁ ତିନିଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଉଠେଇ ନେଇ କିରାସିନି ଢ଼ାଳି ହତ୍ୟା ଉଦ୍ୟମ କରିଥିଲେ ବୋଲି ଥାନାରେ ପୀଡ଼ିତାଙ୍କ ମାଆ ଏତଲା ଦେଇଥିଲେ । ପୁଲିସ ତଦନ୍ତ ସମୟରେ ପ୍ରାୟ ୬୫/୭୦ ଜଣଙ୍କୁ ଜେରା କରିଛି ବୋଲି ସ୍ୱୀକାର କରିଛି । ଏସବୁ ସତ୍ୱେ ପୁଲିସ ଏପର୍ୟ୍ୟନ୍ତ କାହାକୁ ଗିରଫ ନ କରିବା ପ୍ରମାଣ କରୁଛି ଯେ, ପୋଲିସ ବା ତଦନ୍ତକାରୀ ସଂସ୍ଥା ଅଭିଯୋଗ ଭିତ୍ତିରେ ବା ବିଏନଏସ ଆଧାରରେ ତଦନ୍ତ କରୁନାହିଁ । ପୁଲିସ ବିଜେପି ଏବଂ ତାଙ୍କ ସରକାରକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସମସ୍ତ ନୀତି ନିୟମକୁ ଉଲଂଘନ କରି ତଦନ୍ତ କରୁଛି । ଏପରିକି ତଦନ୍ତ ଚାଲୁଥିବା ସମୟରେ ତଦନ୍ତର ସ୍ଥିତି ସମ୍ପର୍କରେ ଲୋକ ଲୋଚନରେ ପ୍ରକାଶ କରିବା ସୂଚନା ଅଧିକାର ପରିସରରୁ ବାହାରେ ରଖାଯାଇଥିବା ସ୍ଥଳେ ପୁଲିସର ସାମାଜିକ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ମୁଖପାତ୍ର ଶ୍ରୀ ମିଶ୍ର ପ୍ରକାଶ କରିବା ସହ କାହା ନିର୍ଦେଶରେ ଏହି ମନ୍ତବ୍ୟ ଡିଜିପି କାର୍ୟ୍ୟାଳୟ ଦେଲା ? ୬୫/୭୦ ଜଣଙ୍କ ବୟାନ କୁଆଡେ ଗଲା ? ପୁରୀ ଏସପି କେଉଁ ଗୁରୁତ୍ୱପୂର୍ଣ ତଥ୍ୟ ପାଇଲେ ଆଦି ପ୍ରଶ୍ନ ଉତଥାପନ କରିଛନ୍ତି ।

ରାଜ୍ୟରେ ସରକାର, ପ୍ରଶାସନ, ପୁଲିସ ବୋଲି କଣ ଅଛି ? ଯଦି ଥାଆନ୍ତା ତେବେ କଣ ଏଭଳି ଆମ ଝିଅ ମାନେ ଆତ୍ମାହୁତି ଦିଅନ୍ତେ ନା ଦୁର୍ବୃତ୍ତ ପୋଡିକି ମାରନ୍ତେ । ଲୋକେ ସରକାରଙ୍କୁ ସୁରକ୍ଷା ନିମନ୍ତେ ଉତ୍ତମ ଶାସନ ବ୍ୟବସ୍ଥା ପାଇଁ ନିର୍ବାଚିତ କରିଛନ୍ତି। କିନ୍ତୁ ସରକାର ନିହାତି ଅପାରଗ, ନିଷ୍କ୍ରିୟ ଏବଂ ଦୁର୍ବଳ। ତେଣୁ ରାଜ୍ୟରେ ନାରୀ ନିର୍ୟାତନା ଗୁରୁତର ରୂପ ନେଲାଣି । ତେବେ ନାରୀ ନ୍ୟାୟ ପାଇଁ କଂଗ୍ରେସର ଲଢେଇ ଜାରୀ ରହିବ ବୋଲି ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ପ୍ରକାଶ କରିଥିବା ବେଳେ ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ତାଙ୍କ ବିବୃତିରେ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନାରୀ ନ୍ୟାୟକୁ ନେଇ ସମ୍ପୂର୍ଣ ଗମ୍ଭୀର। ନାରୀ ନିର୍ୟାତନା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ତଥା ନାରୀ ନ୍ୟାୟ ପାଇଁ ସଭାପତି ଶ୍ରୀ ଦାସଙ୍କ ଅବିଳମ୍ବ ପଦକ୍ଷେପ ପାଇଁ ପ୍ରଶଂସା କରିଛନ୍ତି ଏବଂ ନାରୀ ନ୍ୟାୟ ପାଇଁ ରାଜ୍ୟବାସୀ ଆଗେଇ ଆସିବାକୁ ଗଣମାଧ୍ୟମ ଆଗରେ ଅନୁରୋଧ କରିଥିଲେ । ସମ୍ମିଳନୀର ଶେଷ ପର୍ୟାୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ କଂଗ୍ରେସ ଦଳର ଭବିଷ୍ୟତ କାର୍ୟ୍ୟକ୍ରମ ବିଷୟରେ ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ ସୂଚନା ଦେଇଥିଲେ ।

  • Related Posts

    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading
    ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

    ଭୂବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସଂପର୍କରେ ସୂଚନା ଦେଇ ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ କହିଛନ୍ତି ଯେ, ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ