
ଭୁବନେଶ୍ୱର: ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍ ଦିଆଯାଇନି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ପ୍ରକାଶିତ ହେବାକୁ ଥିବା ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ (ସେକେଣ୍ଡ ଭଲ୍ୟୁମ୍)ରେ ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ ଓ ସଶସ୍ତ୍ର ବିଦ୍ରୋହ ସଂପର୍କିତ ବିଷୟ ସ୍ଥାନିତ ହେବ । ଏଥିରେ ଓଡ଼ିଶାର ପାଇକ ବିଦ୍ରୋହ, ଖୋର୍ଦ୍ଧା ବିଦ୍ରୋହ, ପଞ୍ଜାବର କୁକା ଆନ୍ଦୋଳନ, ଶିଖ୍ ବିଦ୍ରୋହକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ ଏବେ ଚୂଡ଼ାନ୍ତ ପର୍ୟ୍ୟାୟରେ ରହିଛି । ଏପରି ସ୍ପଷ୍ଟୀକରଣ ରଖିଛି ଏନ୍ସିଇଆର୍ଟି ।
ସୂଚନାଯୋଗ୍ୟ, ଏନ୍ସିଇଆର୍ଟି ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଏକ୍ସପ୍ଲାରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ’ରେ ଦି କଲୋନିଆଲ୍ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏନ୍ସିଇଆର୍ଟି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି, ପ୍ରକାଶିତ ପାଠ୍ୟପୁସ୍ତକ ହେଉଛି ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନର ପ୍ରଥମ ଖଣ୍ଡ (ଭଲ୍ୟୁମ୍-୧) । ଏହାର ଦ୍ୱିତୀୟ ଖଣ୍ଡ ଆସନ୍ତା ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ପ୍ରକାଶିତ ହେବ । ଏହି ଦ୍ୱିତୀୟ ଖଣ୍ଡରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ଓ ଆନ୍ଦୋଳନକୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁସଂଗଠିତ ଢଙ୍ଗରେ ଉପସ୍ଥାପନ କରାଯିବ । ଏଥିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପାଇକ ବିଦ୍ରୋହ ବିଷୟ ବିସ୍ତୃତ ଭାବେ ରହିବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଦେଶର ସମୃଦ୍ଧ ଐତିହାସିକ ଓ ସାଂସ୍କୃତିକ ବିବିଧତା ସଂପର୍କରେ ଆହୁରି ଗଭୀର ଜ୍ଞାନ ଲାଭ କରିପାରିବେ ବୋଲି ଏନ୍ସିଇଆର୍ଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି