
ପାରାଦୀପ: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍ସବ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରାଦୀପ ପ୍ରଗତିର ମୁଖଶାଳା। କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରା ଆଜି ବି ପ୍ରେରଣା ଦିଏ। ସେମାନଙ୍କ ଉଦ୍ୟମ ବଳରେ ଆମ କଳିଙ୍ଗ ହୋଇଥିଲା ବୈଭବଶାଳୀ। ଆଜି ଆମେ ସେହି ହଜାର ବର୍ଷର ଐତିହ୍ୟକୁ ମନେ ପକାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏଥିସହିତ ତାଳଚେରକୁ ପାରାଦୀପ ସହ ଯୋଡ଼ିବାକୁ ୧୬ ହଜାର କୋଟି ବ୍ୟୟ ହେବ ବୋଲି ସେ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଭା ମଞ୍ଚରେ ପୂର୍ବ ସରକାରକୁ ମଧ୍ୟ ଟାର୍ଗେଟ୍ କରିଥିଲେ। ୯୯ଟି ଷ୍ଟିଲ ପ୍ଲାଣ୍ଟ ଏମ୍ଓୟୁ କରିଥିଲେ, କେତୋଟି କାର୍ୟ୍ୟକାରୀ କରିଛ ବୋଲି ସେ ପ୍ରଶ୍ନ କରିଥିଲେ। ପୂର୍ବ ସରକାର ସମୟରେ ପୋସ୍କୋ ଫେରିଯାଇଥିଲା, ଆମେ ଫେରାଇ ଆଣିଛୁ। ଏଥିସହିତ ମିତ୍ତଲ ପଳାଇଯିବା କଥା ଯେଉଁମାନେ କହୁଛନ୍ତି, ତାହା ବିଭ୍ରାନ୍ତିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।