
ଭୋପାଳ: ମାସକ ତଳେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ବିବାହ କରି ମହାକୁମ୍ଭମେଳାର ଭାଇରାଲ୍ ଗାର୍ଲ ମୋନାଲିସା ଦେଶବ୍ୟାପୀ ଚର୍ଚ୍ଚିତ ହୋଇପଡ଼ିଥିଲେ । ଏବେ ସେ ପୁଣି ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ତଦନ୍ତରୁ ସେ ନାବାଳିକା ହୋଇଥିବା ଜଣାପଡିବା ପରେ ସ୍ୱାମୀ ଫରମାନଙ୍କ ବିରୋଧରେ ମଧ୍ୟପ୍ରଦେଶର ଖାରଗୋନ୍ ପୁଲିସ ପୋକ୍ସୋ ଆଇନ ଅନୁସାରେ ମାମଲା ରୁଜୁ କରିଛି । ଏହି ସମୟରେ ଫରମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍) ଅନୁସାରେ ବେଆଇନ ବିବାହ, ଅନୁସୂଚୀତ ଜାତି ଏବଂ ଜନଜାତି(ଅତ୍ୟାଚାର ନିବାରଣ) ଆଇନ ବି ଲଗାଯାଇଛି ।
ମୋନାଲିସାଙ୍କ ଜନ୍ମ ସମ୍ବନ୍ଧୀୟ ରେକର୍ଡକୁ ଭିତ୍ତି କରି ଅନୁସୂଚୀତ ଜାତିଙ୍କ ଲାଗି ଉର୍ଦ୍ଦିଷ୍ଟ ଜାତୀୟ କମିଶନ(ଏନ୍ସିଏସଟି) ଦର୍ଶାଇଛନ୍ତି ଯେ, ୨୦୦୯ ମସିହା ଡିସେମ୍ବର ୩୦ ତାରିଖରେ ତାଙ୍କର ଜନ୍ମ । ତେଣୁ ଚଳିତବର୍ଷ ମାର୍ଚ୍ଚ ୧୧ ତାରିଖରେ ବିବାହ ସମୟରେ ତାଙ୍କୁ ୧୬ ବର୍ଷ, ୨ ମାସ ଏବଂ ୧୨ ଦିନ ହୋଇଥିଲା । ଏଭଳିକ୍ଷେତ୍ରରେ ସେ ଜଣେ ନାବାଳିକା । କିନ୍ତୁ ଏକ ଜାଲ୍ ସାର୍ଟିଫିକେଟ ସହାୟତାରେ କେରଳର ଏକ ସ୍ଥାନୀୟ ଗ୍ରାମପଞ୍ଚାୟତ ଅଫିସରେ ତାଙ୍କ ବିବାହ ପଞ୍ଜୀକୃତ ହୋଇଛି ।
ସେହିପରି ଏନ୍ସିଏସ୍ଟି ଏହି ମାମଲାରେ ଉଭୟ କେରଳ ଏବଂ ମଧ୍ୟପ୍ରଦେଶର ଡିଜିପିଙ୍କୁ ସମନ ଜାରି କରିଛନ୍ତି । ସେମାନଙ୍କୁ ଏପ୍ରିଲ ୨୨ ତାରିଖରେ ନୂଆଦିଲ୍ଲୀସ୍ଥିତ କମିଶନଙ୍କ ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଥାଉକି, ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭମେଳାରେ ରୁଦ୍ରାକ୍ଷ ବିକ୍ରି କରି ମୋନାଲିସା ପ୍ରଥମେ ଚର୍ଚ୍ଚାର ଶିଖରକୁ ଆସିଥିଲେ । ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ ଦ୍ୱାରା ଅପରୋଡ୍ ହୋଇଥିବା ତାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ସେଥିଯୋଗୁ ସେ ରାତାରାତି ପୂରା ଦେଶରେ ପ୍ରସିଦ୍ଧ ହୋଇଯାଇଥିଲେ ।




