
ଭୁବନେଶ୍ୱର: ପୁଣି ବଢ଼ିଲା ଚିନି ଦର । କୁଇଣ୍ଟାଲ ପିଛା ୫୦ କି ୧୦୦ ନୁହେଁ, ଏକାଥରକେ ୩୦୦ରୁ ୫୦୦ ଟଙ୍କା ବଢ଼ିଛି । କିଛି ଦିନ ପୂର୍ବରୁ ଚିନି କୁଇଣ୍ଟାଲ ପିଛା ଦର ୫୦୦୦ ଟଙ୍କା ଥିବା ବେଳେ ଏବେ ଛୋଟଦାନା ଓ ବଡ଼ଦାନା ପ୍ରକାରଭେଦରେ ୫୩୦୦ରୁ ୫୫୦୦ ଟଙ୍କା ହୋଇଯାଇଛି । ଏଣେ ଖୁଚୁରା ବଜାରରେ କିଲୋ ପ୍ରତି ୬୦ଟଙ୍କାରେ ବିକ୍ରି ହେଲାଣି ଚିନି । ଖାଲି ଚିନି ନୁହେଁ, ହରଡ଼ ଡାଲି ଓ ବୁଟ ଡାଲି ଦର ବି ବଢ଼ିଛି । କୁଇଣ୍ଟାଲ ପିଛା ଏକାବେଳକେ ୫୦୦ରୁ ୭୦୦ ଟଙ୍କା ଦର ବୃଦ୍ଧି ପାଇଛି । ପୂର୍ବରୁ ହରଡ ଡାଲି କ୍ୱିଣ୍ଟାଲ୍ ଦର ୧୩,୫୦୦ ଟଙ୍କା ଥିବା ବେଳେ ଏବେ ସ୍ଥଳବିଶେଷରେ ୧୪,୦୦୦ ଟପିଗଲାଣି । ବଜାରରେ ଡାଲି କିଲୋ ୧୪୨ରୁ ୧୫୦କୁ ଡେଇଁଲାଣି । ବୁଟଡାଲି ଦର ବି କ୍ୱିଣ୍ଟାଲ ପିଛା ୬୦୦ରୁ ୭୦୦ ଟଙ୍କା ବଢିଛି ।ଦଶହରା ଘଡ଼ି । ଆଜିଠୁ ନବରାତ୍ର ଆରମ୍ଭ । ଏଭଳି ସମୟରେ ହାଣ୍ଡିଶାଳର ଦୁଇ ପ୍ରମୁଖ ଖାଦ୍ୟ ଚିନି, ଡାଲିର ଦର ବୃଦ୍ଧି ଖାଲି ଓଷାଧାରୀ ନୁହେଁ ସମସ୍ତଙ୍କ ଚିନ୍ତା ବଢ଼ାଇଛି ।
ବ୍ୟବସାୟୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଚିନି ଓ ଡାଲି ଉତ୍ପାଦନ ଶୂନ୍ୟ । ରାଜ୍ୟରେ ବାର୍ଷିକ ୯ଲକ୍ଷ ଟନ୍ ଚିନି ଦରକାର ପଡ଼ୁଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ୯୮ ପ୍ରତିଶତ ଚିନି ଆସୁଛି । ଗଲା ୬ମାସ ହେବ ଚିନି ଦର ଖାଉଟିଙ୍କ ସହ ଲୁଚକାଳି ଖେଳୁଛି । ମାସେ ତଳେ ଚିନି କିଲୋ ୭୦ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଥିଲା । ପରେ ପୁଣି ଦର ଟିକେ କମିଥିଲା । ଏବେ ପୁନଶ୍ଚ ସେହି ସ୍ଥିତି ଉପୁଜିଲାଣି । ସେହିପରି ବାର୍ଷିକ ୯ଲକ୍ଷ ୩୦ହଜାର ଟନ୍ ଡାଲିର ଆବଶ୍ୟକତା ପଡ଼ୁଛି ରାଜ୍ୟରେ । ଡାଲି ଅଭାବ ମେଣ୍ଟାଇବା ପାଇଁ ଛତିଶଗଡ଼, ମହାରାଷ୍ଟ୍ର ଓ ନାଗପୁରରୁ ୮ଲକ୍ଷ ଟନ୍ ହରଡ଼ ଡାଲି ଆସୁଛି । ବାକି ରାଜ୍ୟରେ ଚାଷ ହେଉଥିବା ମୁଗ, ବିରି ଓ କୋଳଥ ଲୋକଙ୍କ ଚାହିଦା ପୂରଣ କରୁଛି ।
ଗତ ସପ୍ତାହରେ ଚାଉଳ ଦର ବଢ଼ିଥିଲା । ସରୁ ବା ଫାଇନ୍ ଚାଉଳ କ୍ୱିଣ୍ଟାଲ ପିଛା ୮୦୦ରୁ ୧ ହଜାର ଟଙ୍କା ଏବଂ ସୁପର ଫାଇନ୍ ଚାଉଳ ୧ ହଜାରରୁ ୧୫ ଶହ ଟଙ୍କା ବଢ଼ିଥିଲା। ଏବେ ପୁଣି ଅରୁଆ ଚାଉଳ ଦରରେ ୧୦ରୁ ୨୦ ଟଙ୍କା ଯାଏ ବୃଦ୍ଧି ହୋଇଛି । ଜିରା ରାଇସ୍ ଏବେ କିଲୋ ପିଛା ୬୦ରୁ ୬୫ ଟଙ୍କା, ଡେରାଡୁନ ଚାଉଳ ୧୦୫ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି । ବାସୁମତି ଚାଉଳ କିଲୋ ପିଛା ୨୦ ଟଙ୍କା ବଢ଼ି ୧୭୦ ଟଙ୍କାରେ ପହଞ୍ଚିଛି । ଗଲା ୪ ତାରିଖରୁ ଓମଫେଡ୍ କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ହୋଇଛି। ରାଜ୍ୟବାସୀ ଏଭଳି ଦର ବୃଦ୍ଧି କଷଣରେ ପେଷି ହେଉଥିବା ବେଳେ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।








