
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରେ ‘ବିଜେଡି’ର ଦୁଇ ଜଣ ସାଂସଦ ଦଳ ଛାଡି ‘ବିଜେପି’ରେ ସାମିଲ ହୋଇଛନ୍ତି । ବିଜେଡିର ଆଉ କିଛି ସାଂସଦ ‘ବିଜେପି’ ସହ ଯୋଗାଯୋଗରେ ଥିବା ଦଳ ଛାଡିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ଲାଗି ରହିଛି । ଯାହାକୁ ନେଇ ଗତ କିଛି ଦିନ ହେବ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏନେଇ ମଙ୍ଗଳବାର ବିଜେଡିର ସମସ୍ତ ୭ ରାଜ୍ୟସଭା ସାଂସଦ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ବରିଷ୍ଠ ସାଂସଦ ସସ୍ମିତ ପାତ୍ର କହିଛନ୍ତି, “କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଅଛନ୍ତି, ଯିଏ ଚାହୁଁନାହାନ୍ତି ଓଡିଶାର ସ୍ୱର ବିଜେଡି ଦିଲ୍ଲୀରେ ଉଠାଉ । ଗତ ୬ ମାସ ମଧ୍ୟରେ ବିଜେଡିର ସାଂସଦ ମାନେ ବିଭିନ୍ନ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦଙ୍କ ପ୍ରଶ୍ନ କାଟୁ କରୁଛି । ସେଇଟା ଓଡ଼ିଶାରେ ଥିବା ବିଜେପି ସରକାରକୁ ବାଧୁଛି । ବିଜେଡି ଛାଡିବା ନେଇ ଯଦି କିଛି ତଥ୍ୟ ପ୍ରମାଣ ଅଛି ତେବେ ସତ ସାହସ ଥିଲେ ସାମ୍ନାକୁ ଆଣନ୍ତୁ ।”




