
ଭୁବନେଶ୍ୱର:ରାଜ୍ୟ ସଭା ନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ନିଜ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଚାଲି ଯାଇଛନ୍ତି। ମାତ୍ର ବାକି ୬ ଜଣ ବିଧାୟକ ଓଡ଼ିଶାରେ ଅଛନ୍ତି। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଦାସ, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ ଓଡ଼ିଶାରେ ଅଛନ୍ତି। ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସର କୌଣସି ନେତାଙ୍କୁ ଧରାଛୁଅାଁ ଦେଉନାହାନ୍ତି। ଟେଲିଫୋନ୍ ଯୋଗେ ମଧ୍ୟ ଦଳର ନେତୃତ୍ୱଙ୍କ ସହିତ ସେ ଯୋଗାଯୋଗ ରଖୁ ନ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଦାଶରଥିଙ୍କ ସହ ଦଳ ପକ୍ଷରୁ କୌଣସି ଯୋଗାଯୋଗ ହୋଇପାରୁ ନ ଥିବାବେଳେ ସେ କେଉଁଠାରେ ଅଛନ୍ତି କାହାକୁ ଜଣାନାହିଁ। ଦଳର ୨ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ତାଙ୍କ ବିଷୟରେ ଜାଣିଥିଲେ ସୁଦ୍ଧା ସେମାନେ ନ ଜାଣିବା ଭଳି ଅଭିନୟ କରୁଥିବା ସେ କହିଛନ୍ତି।
ଅନ୍ୟପଟେ କଂଗ୍ରେସ ପକ୍ଷରୁ ଶୁକ୍ରବାର, ଶନିବାର ଏବଂ ରବିବାର ୩ ଦିନ ପର୍ୟ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବା ଲାଗି ଗୁରୁବାର କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହ୍ବିପ୍ ଜାରି କରିଥିଲେ। ମାତ୍ର କାଡାମଙ୍କ ହ୍ବିପ୍କୁ ଭାଙ୍ଗି ଭକ୍ତ ୮ ବିଧାୟକଙ୍କୁ କାହିଁକି ରାଜ୍ୟ ବାହାରକୁ ନେଇକି ଗଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ତାରାପ୍ରସାଦ ବାହିନୀପତି ବିଧାୟକମାନେ ନିଜ ଇଚ୍ଛାରେ ବୁଲିବାକୁ ଯାଇଥିବା କହିଛନ୍ତି। ସୋଫିଆ କହିଛନ୍ତି ଏ ବିଷୟରେ ତାଙ୍କୁ କିଛି କୁହାଯାଇନି ସେ ଗଣମାଧ୍ୟମରୁ ଯାହା ଶୁଣିବାକୁ ପାଇଛନ୍ତି। କାଡାମ କହିଛନ୍ତି, ଘୋଡ଼ାବେପାର ପାଇଁ ଭାଜପା ଚେଷ୍ଟା କରିବା କାରଣରୁ କଂଗ୍ରେସ ବିଧାୟକମାନଙ୍କୁ ବାହାରକୁ ନିଆଯାଇଛି। ଅନ୍ୟପଟେ କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବେଙ୍ଗାଲୁରୁରେ ଥିବା ରାଜ୍ୟ କଂଗ୍ରେସ ବିଧାୟକମାନଙ୍କ ସହିତ ସାକ୍ଷାତ କରିଛନ୍ତି।




