
ଭୁବନେଶ୍ୱର: ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ଗୃହକୁ ସୁରୁଖୁରୁରେ ଚଳାଇବାକୁ ରାଜ୍ୟପାଳ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିବା ବେଳେ ସରକାରଙ୍କୁ ଘେରିବାକୁ ବିରୋଧିଙ୍କ ରଣନୀତି ପ୍ରସ୍ତୁତ । ଏପଟେ ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଧାରଣା ଦେବାକୁ ସଜ ହେଲେଣି ବିଭିନ୍ନ ସଂଘ । ଏହାମଧ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପକ୍ଷରୁ କଡା ପ୍ରସ୍ତୁତି କରାଯାଇଛି ।
ବିଧାନସଭା ଅଧିବେଶନ ଚାଲିବାକୁ ଥିବାବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସର ପ୍ରସ୍ତୁତି । ବିଧାନସଭା ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । କମିଶନରେଟ ପୋଲିସ ପକ୍ଷରୁ ବିଧାନସଭା ଚାରିପାଖେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨ ଜଣ ଡିସିପି ନେତୃତ୍ବ ନେଇଥିବା ବେଳେ ୮ ଜଣ ଆଡିସନାଲ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ୨୫ ଜଣ ଏସିପି, ୨୦ ଜଣ ଇନ୍ସପେକ୍ଟର, ୯୦ ଜଣ ସବ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଡ୍ ସବ ଇନପେକ୍ଟର ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ସେହିପରି ୨ ପ୍ଲାଟୁନ ବନ୍ଧୁକଧାରୀ ପୋଲିସ ଫୋର୍ସ, ୨ ପ୍ଲାଟୁନ ମହିଳା କନଷ୍ଟେବଳ, ୨ ପ୍ଲାଟୁନ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ ଫୋର୍ସକୁ ମୁତୟନ କରାଯାଇଛି । ଆଉମଧ୍ୟ ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାର୍ଡ ଓ ରୁଫ୍ ଟପ୍ ସିକ୍ୟୁରିଟି ମୁତୟନ ରହିବେ ।


