
ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ଡ୍ୟାମ୍ ସୁରକ୍ଷା) ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏହି ସବୁ ସଂପତ୍ତି ସେ କେମିତି ଠୁଳ କଲେ, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ୮ ନମ୍ବର ଲେନ୍ରେ ଏକ ତିନି ମହଲା କୋଠା ରହିଛି। ଏହା ପ୍ରାୟ ୩ ହଜାର ବର୍ଗଫୁଟ ଜାଗା ଉପରେ ତିଆରି ହୋଇଛି।ଢେଙ୍କାନାଳର ଭାପୁରର ବିମ୍ବୋଳରେ ଏକ ଫାର୍ମ ହାଉସ୍ ରହିଛି। ୧ ଏକର ୭୧ ଡିସିମିଲ୍ର ଜାଗାରେ ଏହି ଫାର୍ମ ହାଉସ୍ଟି ରହିଛି। ଫାର୍ମ ହାଉସ୍ରେ ଥିବା ଦ୍ୱିମହଲା କୋଠାଟି ୪୦୦୦ ବର୍ଗଫୁଟ୍ ଜାଗାରେ ନିର୍ମାଣ କରାଯାଇଛି।ତାଙ୍କର ୮ଟି ଦାମୀ ପ୍ଲଟ୍ ଅଛି। ଭୁବନେଶ୍ୱର ଓ ବିମ୍ବୋଳରେ ଏହି ପ୍ଲଟ୍ଗୁଡ଼ିକ ଅଛି। ଅଛି। ବିଭିନ୍ନ ଜମା ବାବଦକୁ ସେ ୧ କୋଟି ୮୧ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କ ଘରୁ ୬ ଲକ୍ଷ ୨୩ ହଜାର ଟଙ୍କାର ନଗଦ ଜବତ କରାଯାଇଥିଲା। ସେହିପରି ତାଙ୍କ ଘରୁ ୩୫୦ ଗ୍ରାମ ସୁନା ଗହଣା ଜବତ କରାଯାଇଛି। ତାଙ୍କର ୨ଟି କାର ଅଛି।ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ବିରୋଧରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାର ତଦନ୍ତ ଜାରି ରହିଛି।




