
ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ବନ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ର ୧୨ଟି ପଞ୍ଚାୟତର ୫୦ ହଜାର ଲୋକ ଜଳବନ୍ଦି ଅବସ୍ଥାରେ ରହିଛନ୍ତି। ଚାରି ଦିନ ହେଲା ପାଣି ଛାଡୁ ନଥିବାରୁ ପିଇବା ପାଣି ଓ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବଢ଼ିଛି। ତେବେ ସବୁଠୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି କୁମ୍ଭୀରଙ୍କୁ ନେଇ। ବଡ଼ ବଡ଼ କୁମ୍ଭୀର ପାଣିରେ ଭାସୁଥିବା ବେଳେ ଲୋକେ ଏବେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି।ଉପାନ୍ତ ଅଞ୍ଚଳରେ ଥିବା ସିଂହଗାଁ ପଞ୍ଚାୟତ ୩ଟି ନଦୀର ବନ୍ୟାରେ ପ୍ରଭାବିତ ହୋଇ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। ଏହି ପଞ୍ଚାୟତର କୃଷ୍ଣଦାସପୁର, ରାଉଳିଆ, ବଡ଼ରାଉଳିଆ, ସିଂହଗାଁ ସମେତ ୫ଟି ଗ୍ରାମର ୭୦ ପ୍ରତିଶତ ଲୋକଙ୍କ ଘରେ ପାଣି ପଶିଯାଇଛି। ଗାଁ ଭିତରେ ଥିବା ନଳକୂପ ପାଣିରେ ବୁଡ଼ି ରହିଛି। ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବୁଡ଼ିଯିବା ଯୋଗୁ ବିପନ୍ନମାନେ କୋଠାଘରମାନଙ୍କରେ ଆଶ୍ରୟ ନେଇଛନ୍ତି। ଅନେକସ୍ଥାନରେ ଚୁଲି ଓ ଗ୍ୟାସ୍ ଅଭାବରୁ ରନ୍ଧାଖାଦ୍ୟ ଖାଇ ନ ପାରି କେବଳ ବନ୍ୟାପାଣି ପିଇ ଜୀବନ ବଞ୍ଚାଇଛନ୍ତି। ଘରେ ଥିବା ଧାନଚାଉଳ ସବୁ ପାଣିରେ ବୁଡ଼ି ରହିଛି। ପ୍ରଶାସନ ପକ୍ଷରୁ ଏ ଯାଏଁ କୌଣସି ଖାଦ୍ୟ କି ପାଣି ଦିଆଯାଇ ନାହିଁ। ଲୋକ ଏବେ ଶୌଚ ବି ହୋଇ ପାରୁନାହାନ୍ତି।