
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, ବାତ୍ୟା, ବନ୍ୟା ଏବଂ ହିଟ୍ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା। ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ବି ହୁଏ, ମେ’ରେ ବାତ୍ୟା ହେବା ସମ୍ଭାବନା ଥାଏ। ବନ୍ୟା, ବାତ୍ୟା ଆସିଲେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ବାତ୍ୟା ଆକଳନ କରିଥିବା ଏଜେନ୍ସି ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଆମେ ପ୍ରସ୍ତୁତ।
ସୂଚନାଯୋଗ୍ୟ, ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସର ଆକଳନ ଅନୁଯାୟୀ, ମେ ୧୧ରୁ ୧୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ-ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ତାହା ଘନୀଭୂତ ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ତାହା ଅଧିକ ଘନୀଭୂତ ହୋଇ ସାଇକ୍ଲୋ ଜେନିସିସର ରୂପ ନେବାର ସମ୍ଭାବନା ରହିଛି। କିନ୍ତୁ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ।
ମେ’ ମାସ ଦ୍ୱିତୀୟ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗ ମଡେଲର ସୂଚନା ଅନୁଯାୟୀ, ବଙ୍ଗୋପସାଗର ଏବେ ଅଶାନ୍ତ ହେବାକୁ ଯାଉଛି, ଯାହା ଆଗାମୀ ଦିନରେ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।
ଆମେରିକୀୟ ପାଣିପାଗ ସଂସ୍ଥା ‘ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍’ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ମଡେଲ୍ଗୁଡ଼ିକରୁ ମିଳିଥିବା ସଙ୍କେତ ଅନୁଯାୟୀ, ମେ’ ୧୧ ରୁ ୧୪ ତାରିଖ ମଧ୍ୟରେ ଏହି ସିଷ୍ଟମ୍ ସକ୍ରିୟ ହୋଇପାରେ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବାୟୁମଣ୍ଡଳରେ ବର୍ତ୍ତମାନ ଯେଉଁଭଳି ଅସ୍ଥିରତା ଦେଖାଦେଉଛି, ତାହା ଏକ ଶକ୍ତିଶାଳୀ ସିଷ୍ଟମ୍ ସୃଷ୍ଟି ପାଇଁ ଅନୁକୂଳ ପରିବେଶ ତିଆରି କରୁଛି ।
ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ବର୍ତ୍ତମାନ ବଙ୍ଗୋପସାଗରରେ ସମୁଦ୍ର ପତ୍ତନର ତାପମାତ୍ରା ୨୯ ଡିଗ୍ରୀ ସେଲସିୟସରୁ ୩୧ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି । ସାଧାରଣତଃ ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ପାଇଁ ସମୁଦ୍ର ପତ୍ତନର ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିବା ଆବଶ୍ୟକ । ବର୍ତ୍ତମାନର ଉଚ୍ଚ ତାପମାତ୍ରା ଏହି ସମ୍ଭାବ୍ୟ ଲଘୁଚାପକୁ ଅଧିକ ବଳଶାଳୀ କରିବାରେ ସହାୟକ ହୋଇପାରେ । ଯଦିଓ ବିଶ୍ୱସ୍ତରୀୟ ମଡେଲ୍ଗୁଡ଼ିକ ଲଘୁଚାପ ସୃଷ୍ଟି ନେଇ ସଙ୍କେତ ଦେଉଛନ୍ତି, କିନ୍ତୁ ଏହା ଏକ ଦୀର୍ଘକାଳୀନ ପୂର୍ବାନୁମାନ ହୋଇଥିବାରୁ ଏହାର ଗତିପଥ ଏବଂ ତୀବ୍ରତା ବର୍ତ୍ତମାନ ଆକଳନ କରିବା କଷ୍ଟକର । ଆଗାମୀ ମେ’ ୬ କିମ୍ବା ୭ ତାରିଖ ବେଳକୁ ଚିତ୍ର ଅଧିକ ସ୍ପଷ୍ଟ ହେବ । ଏହି ସିଷ୍ଟମ୍ ଓଡ଼ିଶା କିମ୍ବା ପଡ଼ୋଶୀ ଉପକୂଳ ଉପରେ କି ପ୍ରଭାବ ପକାଇବ, ତାହା ସେହି ସମୟରେ ହିଁ ଜଣାପଡ଼ିବ ।
ସୂଚନାଯୋଗ୍ୟ ଯେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଆନୁଷ୍ଠାନିକ ଚେତାବନୀ କିମ୍ବା ସୂଚନା ଜାରି କରାଯାଇ ନାହିଁ । ଭାରତୀୟ ପାଣିପାଗ ବିଭାଗ ସାଧାରଣତଃ ସିଷ୍ଟମ୍ ସୃଷ୍ଟି ହେବାର ୩-୪ ଦିନ ପୂର୍ବରୁ ସଠିକ୍ ପୂର୍ବାନୁମାନ ଦେଇଥାଏ । ତେଣୁ ସାଧାରଣ ଜନତାଙ୍କୁ ଏବେଠାରୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦିଆଯିବା ସହ ପାଣିପାଗ ସୂଚନା ଉପରେ ନଜର ରଖିବାକୁ କୁହାଯାଇଛି ।


