
ବାଲେଶ୍ୱର :ବାତ୍ୟା ‘ଦାନା’ ଯୋଗୁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ଲଗାଣ ବର୍ଷା ହେତୁ ପାଣି ଉଛୁଳି ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାକୁ ଲାଗିଛି। ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେବାରୁ ବାଲେଶ୍ୱର ଜିଲ୍ଲାର ୧୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି ।
ବାତ୍ୟା ‘ଦାନା’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପ୍ରବଳ ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ବୁଢାବଳଙ୍ଗ ଓ ସୋନ ନଦୀରେ ପ୍ରବଳ ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ଯୋଗୁ ନୀଳିଗିରି ଓ ରେମୁଣାର ବେଗୁନିଆ, କାଂଶ, କାଠପୋଲ, କଲ୍ୟାଣପୁର ଆଦି ଗାଁ ବନ୍ୟା ଘେରରେ ରହିଛି । ବେଗୁନିଆରୁ ତୋଟାପଡାକୁ ସଂଯୋଗ କରୁଥିବା ରାସ୍ତା ଧୋଇଯିବାରୁ ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି କୁଳଢିଆ ଅଭୟାରଣ୍ୟରେ ବର୍ଷା ଯୋଗୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଡିଯାଇଛି ।




