
ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବିଜେଡି ଗଡ଼ ଭୁଶୁଡି ଚାଲିଛି । କେତେବେଳେ ନେତା ଦଳ ଛାଡୁଛନ୍ତି ତ ଆଉ କେତେବେଳେ ନେତାଙ୍କୁ ଦଳ ବାହାର ରାସ୍ତା ଦେଖାଉଛନ୍ତି । ପରବର୍ତ୍ତି ସମୟରେ ସେହି ନେତାମାନେ ବିଜେପିରେ ମିଶୁଛନ୍ତି । ଯାହାଫଳରେ ଗୋଟିଏ ପଟେ ବିଜେଡି ଛିଡୁଥିବାବେଳେ ଅନପଟେ ବିଜେପି ବଢ଼ି ଚାଲିଛି । ତେବେ ଉତ୍ତର ଓଡ଼ିଶା ପରେ ଆଗକୁ କାହାପାଳି ?
ମୋହନ, ମନମୋହନଙ୍କ ଗୋଟି ଚାଳନାରେ ଉତ୍ତର ଓଡ଼ିଶାରେ ଦୋହଲୁଛି ବିଜେଡି ଗଡ଼ । ଦିନକୁ ଦିନ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ ବିଜେପି ଶକ୍ତିଶାଳୀ ହେଉଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଉତ୍ତର ଓଡ଼ିଶା ପରେ କାହାପାଳି ପଡ଼ିବ ସେ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବୟାନ । ରାଜ୍ୟସଭା ସାଂସଦ ଭାବେ ଶପଥ ନେଇ ଦିଲ୍ଲୀରୁ ଫେରିବା ପରେ କହିଛନ୍ତି, ସମସ୍ତଙ୍କ ପାଖରେ ସରକାର ପହଞ୍ଚୁଛନ୍ତି । ଯାହା ସଂକଳ୍ପ କରୁଛି ତାହା ପୂରଣ କରୁଛି । ସେଥିପାଇଁ ଲୋକଙ୍କ ଆଗ୍ରହ ବଢ଼ୁଛି ଏବଂ ଭାରତୀୟ ଜନତା ପାର୍ଟି ଶକ୍ତିଶାଳୀ ହେଉଛି । ଯେଉଁମାନେ ସମାଜରେ ଲୋକଙ୍କ ସହିତ ଅଛନ୍ତି ସେମାନଙ୍କୁ ଦଳ ଗ୍ରହଣ କରିବ ।
ସରକାରକୁ ଆସିବା ପରେ ବିଜେପି ତୃଣମୂଳସ୍ତରରେ ଦଳକୁ ମଜଭୁତ କରିବାକୁ ଆରମ୍ଭ କରିଥିଲା କସରତ । ପ୍ରଥମେ ପଂଚାୟତ ଓ ବ୍ଲକ ସ୍ତରରେ ବିଜେଡି ଗଡ଼ ଭାଙ୍ଗିବାକୁ ନୀଳନକ୍ସା ପ୍ରସ୍ତୁତ କରିଥିଲା । ଏହା ପରେ ଏକାଧିକ ବ୍ଲକ ଓ ପଂଚାୟତରେ ସଫଳ ହୋଇଥିଲା ଶାସକ ଦଳର ଚାଲ୍ । ବହୁ ବ୍ଲକ ଅଧ୍ୟକ୍ଷ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ସରପଞ୍ଚ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇନ୍ତି । ଜିଲ୍ଲାର ବରିଷ୍ଠ ନେତାମାନେ ବି ଶଂଖ ଛାଡି ପଦ୍ମ ଧରିଛନ୍ତି । ନିର୍ବାଚନ ଯେତେ ପାଖେଇବ ଏହି ପ୍ରକ୍ରିୟା ଆହୁରି ବଢ଼ିବାର ସମ୍ଭାବନା ରହିଛି ।
ବିଜେପି ଶକ୍ତିଶାଳୀ ହେଉଥିଲେ ନୂଆ ଓ ପୂରୁଣା ନେତାଙ୍କୁ ନେଇ ଚାଲିବା ଦଳ ପାଇଁ ବଡ ଆହ୍ୱାନ ହୋଇପାରେ । ପୁରୁଣା ନେତା ଓ କର୍ମୀ ଦଳ ଡିଆଁ ନେତାଙ୍କୁ କେମିତି ଗ୍ରହଣ କରୁଛନ୍ତି ? ତାହା ବଡ଼ ପ୍ରଶ୍ନ ।




