
ଭୁବନେଶ୍ବର : ତାରିଖ ପରେ ତାରିଖ ବଦଳୁଛି। ଦୂର ହୋଇପାରୁନି ରାଜ୍ୟ ସଭାପତି ଦ୍ବନ୍ଦ। ରାଜ୍ୟ ସଭାପତି ଚୟନରେ ଅହେତୁକ ବିଳମ୍ବ ଦଳ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି। ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ସାରିବାକୁ ଟାର୍ଗେଟ ରଖାଯାଇଥିବା ବେଳେ ଫେବୃଆରୀ ସରିବାକୁ ବସିଲାଣି, କିଛି ଚୁଡ଼ାନ୍ତ ହୋଇପାରୁନାହିଁ। ନିଗମ ଅଧ୍ୟକ୍ଷ ପାଇଁ ବି ଅଙ୍କକଷା ଚାଲିଛି। ଖୋଜା ଚାଲିଛି ଉପଯୁକ୍ତ ନେତା। ସାଙ୍ଗଠନିକ ଦକ୍ଷତା, ଅନୁଭବ, ଅଭିଜ୍ଞତାକୁ ଆଧାର କରି ନିଗମ ପଦ ଦିଆଯିବ ବୋଲି ଆଶା ବାନ୍ଧିଛନ୍ତି ଆଶାୟୀ। ସେହିପରି ଖାଲି ଥିବା ମନ୍ତ୍ରୀ ପଦ ପାଇଁ ବରିଷ୍ଠ ବିଧାୟକ ମାନେ ଆଶା ରଖିଛନ୍ତି। ହେଲେ କେନ୍ଦ୍ରରୁ କୌଣସି ସିଗ୍ନାଲ ମିଳୁନଥିବାରୁ ନିଷ୍ପତ୍ତି ହୋଇପାରୁନି। ବାହାରକୁ ନେତା ଓ ବିଧାୟକ ସବୁ କିଛି ଠିକ୍ ଚାଲିଛି ବୋଲି କହୁଥିଲେ ମଧ୍ୟ, ବାସ୍ତବ ଚିତ୍ର ଭିନ୍ନ କିଛି ବୟାନ କରୁଛି। ସଙ୍ଗଠନରେ ଦ୍ବନ୍ଦ, ସରକାରରେ ଅସନ୍ତୋଷ। ସବୁ କଥାରେ କେନ୍ଦ୍ରର ଇଙ୍ଗିତକୁ ଅପେକ୍ଷା। ହଠାତ ବିଜେପି ସରକାରକୁ ଆସିବା, ଅସ୍ବାଭାବିକ ଭାବେ ମୁଖ୍ୟମନ୍ତ୍ରୀ ବଛାଯିବା ଯୋଗୁଁ ସରକାର ଏଯାଏଁ ଗତିଶୀଳ ହୋଇପାରିନାହିଁ। ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ ସାଙ୍ଗକୁ ନିଜ ଇଚ୍ଛାରେ ମୁଖ୍ୟମନ୍ତ୍ରୀ କାମ କରିପାରୁନଥିବା ଯୋଗୁଁ ସବୁ କିଛି ଅଯଥାରେ ବିଳମ୍ବିତ ହୋଇ ଚାଲୁଛି।



