
ନୂଆଦିଲ୍ଲୀ : ବୁଲି ବୁଲି ବାଣ୍ଟୁଥିଲେ ଏଡସ୍। ଧରା ପଡ଼ିବା ପରେ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ। ବ୍ରିଟେନର ନ୍ୟୁ କଷ୍ଟଲ କ୍ରାଉନ କୋର୍ଟ ୪୩ ବର୍ଷୀୟ ଅଭିଯୁକ୍ତ ଆଡମ ହିଲକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଆଡମ ୨୦୧୬ ରୁ ୨୦୨୩ ମଧ୍ୟରେ ୭ ଜଣଙ୍କୁ ଏହି ମାରାତ୍ମକ ରୋଗ ବାଣ୍ଟିବାରେ ସଫଳ ହୋଇଛି। ସେ ଜାଣିଶୁଣି ଏହି ରୋଗର ପ୍ରତିକାର ପାଇଁ ଔଷଧ ଖାଉନଥିଲା। ତା ଭଳି ଅନ୍ୟ ଲୋକମାନେ ମଧ୍ୟ ଏଡସ୍ ରୋଗରେ ପୀଡ଼ିତ ହୁଅନ୍ତୁ ବୋଲି ସେ ଚାହୁଁଥିଲା।
୨୦୧୦ରେ ଆଡମ ଏଚଆଇଭିରେ ଆକ୍ରାନ୍ତ ହୋଇଥିଲା। ଡାକ୍ତର ତାକୁ ଚିକିତ୍ସା କରାଇବାକୁ ଏବଂ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ। ହେଲେ ସେ ଜାଣିଶୁଣି ଔଷଧ ଖାଉନଥିଲା। ସେ ଦୁର୍ବଳ ଯୁବକମାନଙ୍କୁ ଟାର୍ଗେଟ୍ କରୁଥିଲା। ତାଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖୁଥିଲା। ଯେଉଁଥିପାଇଁ ସେମାନେ ଏଡସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ। ପୀଡ଼ିତଙ୍କ ମଧ୍ୟରେ କିଛି ନାବାଳକ ବି ଅଛନ୍ତି। ବ୍ରିଟେନର ନ୍ୟୁ କଷ୍ଟଲ କ୍ରାଉନ କୋର୍ଟର ଜଜ ଏଡୱାର୍ଡ ବିଣ୍ଡଲୋସ୍ ଏହି ମାମଲାର ଶୁଣାଣି କରି ଆଡମକୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି କହିଛନ୍ତି।
କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତ ଜାଣିଶୁଣି ଅନ୍ୟମାନଙ୍କୁ ସ୍ଥାୟୀ ରୋଗ ବାଣ୍ଟିଛନ୍ତି। ଏହାଦ୍ଵାରା ପୀଡ଼ିତଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ଏତଦ୍ ବ୍ୟତୀତ ଆଡମ ଉପରେ ଡ୍ରଗ୍ସ କାରବାର ଅଭିଯୋଗ ଥିଲା। କୋର୍ଟ ଶୁଣାଣି କରି ଆଡମକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।



