ଭାରତ ଓ ଦକ୍ଷିଣ ଆଫ୍ରିକାମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା ପ୍ରାଥମିକତା ହେଉ: ବିଜେଡି

ଭୁବନେଶ୍ୱର: ଆସନ୍ତା ଡିସେମ୍ୱର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିଅମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଥିବା ଟି୨୦ କ୍ରିକେଟ ମ୍ୟାଚରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିବା ବେଳେ ବିଜୁ ଜନତା ଦଳ ଏହା ଉପରେ ପ୍ରତିକ୍ରିୟା ରଖିଛି ।
ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ଶ୍ରୀ ମିହିର ରାୟ କହିଛନ୍ତି, ସମ୍ପ୍ରତି ଦେଶର ରାଜଧାନୀ ଦିଲ୍ଲୀ ଠାରେ ଘଟିଥିବା ଆତଙ୍କୀ ବିସ୍ପୋରଣ ଯୋଗୁ ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ, ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ବେଳେ ସୁରକ୍ଷା ଏକ ମୁଖ୍ୟ ପ୍ରସଙ୍ଗ । କିନ୍ତୁ, ଏହା ସହିତ ଏହି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବା ମଧ୍ୟ ଏକ ଗୁରୁ ଦାୟିତ୍ୱ । ବିଶେଷକରି, ଗତବର୍ଷ ଭାରତ ଓ ଇଂଲଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ହୋଇଥିବା ଏକଦିବସୀୟ ମ୍ୟାଚ ବେଳେ ଯେଉଁଭଳି ଭାବେ ଷ୍ଟାଡିଅମର ଫ୍ଲଡ଼ ଲାଇଟରେ ବିଭ୍ରାଟ ଦେଖା ଦେଇଥିଲା ଓ ଏହା ଓଡିଶା ପାଇଁ ନିନ୍ଦା ଓ ଲଜ୍ଜ୍ୟା ଆଣିଥିଲା, ତାର ପୁନରାବୃତ୍ତି ହେବା ଅନୁଚିତ । ତେଣୁ ତ୍ରୁଟିଶୂନ୍ୟ ଭାବେ କିଭଳି ମ୍ୟାଚଟିକୁ ଆୟୋଜନ କରାଯାଇ ପାରିବ, ରାଜ୍ୟ ସରକାର ସେଥିପ୍ରତି ଯତ୍ନବାନ ହେବା ଦରକାର ।
ଶ୍ରୀ ରାୟ ଆହୁରି କହିଛନ୍ତି, ଗତଥର କ୍ରିକେଟ ମ୍ୟାଚ ପୂର୍ବରୁ ଏଭଳି ଅନେକ ପ୍ରସ୍ତୁତି ବୈଠକ ଓ ଅନେକ ରିଭିୟୁ ମିଟିଂ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ନିଜେ ରିଭିୟୁ ମିଟିଂ ନେଉଥିବା ଖବର ପ୍ରକାଶ ପାଇଥିଲା । କିନ୍ତୁ, ମ୍ୟାଚ ସମୟରେ ଫ୍ଲଡ଼ ଲାଇଟ ବିଭ୍ରାଟ ଦେଖା ଦେବା ପରେ, କିଏ ପ୍ରକୃତ ଦୋଷୀ ଓ ଏତେ ପ୍ରସ୍ତୁତି ଓ ରିଭିୟୁ ବୈଠକ ସତ୍ତ୍ୱେ କିପରି ଏଭଳି ଅଭାବନୀୟ ସ୍ଥିତି ଉପୁଜିଲା, ତାକୁ ନେଇ କୌଣସି ସ୍ପଷ୍ଟତା ଆସି ନଥିଲା । କେବଳ ଧର୍ମକୁ ଆଖିଠାର ସଦୃଶ୍ୟ, ସରକାରଙ୍କ ତରଫରୁ ଗୋଟିଏ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏହାଛଡା, ଏହି କ୍ରିକେଟ ମ୍ୟାଚକୁ ଦେଖିବା ପାଇଁ ଓସିଏ ତରଫରୁ ବଣ୍ଟନ କରାଯାଇଥିବା ପାସରେ ମଧ୍ୟ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । କ୍ରିକେଟ ମ୍ୟାଚକୁ ଉପଭୋଗ କରିବା ପାଇଁ ଉତ୍ସୁକ କ୍ରିକେଟପ୍ରେମୀ ମାନେ ଟିକେଟ କିଣି ମ୍ୟାଚ ଦେଖିବା ପାଇଁ ଇଚ୍ଛା କରିଥିଲେ ମଧ୍ୟ ଟିକେଟ ପାଇ ନଥିଲେ । ଅପରପକ୍ଷରେ, ବିଜେପି ଦଳର ଅଧିକାଂଶ କୁଜି ନେତାମାନେ କ୍ରିକେଟ ମ୍ୟାଚର ପାସ୍ ହାତେଇବାରେ ସକ୍ଷମ ହୋଇଥିଲେ । ତେଣୁ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା କ୍ରିକେଟ ମ୍ୟାଚଟି ତ୍ରୁଟିଶୂନ୍ୟ ଭାବେ ଆୟୋଜିତ ହେବା ସହିତ ଏହାର ଟିକେଟ ଓ ପାସ ବ୍ୟବସ୍ଥା ମଧ୍ୟ ତ୍ରୁଟିଶୂନ୍ୟ ହେବା ନିହାତି ଆବଶ୍ୟକ । ଗତ ବର୍ଷ ପରି କ୍ରିକେଟ ମ୍ୟାଚର ପ୍ରସ୍ତୁତି ଓ ରିଭିୟୁ ମିଟିଂ ଯେପରି ଏକ ପ୍ରହସନରେ ପରିଣତ ହୋଇଥିଲା, ଅନ୍ତତଃ ପକ୍ଷେ ଆସନ୍ତା ଭାରତ ଓ ଦକ୍ଷିଣ ଆଫି୍ରକା ଟି-୨୦ ମ୍ୟାଚର ପ୍ରସ୍ତୁତି ଓ ରିଭିୟୁ ମିଟିଂ ସେଭଳି ପ୍ରହସନରେ ପରିଣତ ନହେଉ ବୋଲି ଶ୍ରୀ ରାୟ କହିଛନ୍ତି ।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ