
ଭୁବନେଶ୍ୱର,: ବିଏମ୍ସିି ୩ରୁ ୬ଟି ଜୋନ୍ରେ ବାଣ୍ଟି ହୋଇଛି । ଜୋନ୍ ଅଫିସର ମାତ୍ରାଧିକ ଚାପକୁ ହ୍ରାସ କରିବା ଏବଂ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏବେ ପ୍ରତି ଜୋନ୍ରେ ୧୨ ଲେଖାଁଏ ୱାର୍ଡ ରହିବ । କର୍ପୋରେସନ ବୈଠକରେ ଏହି ପ୍ରସ୍ତାବ ଆଗତ ହୋଇଛି । ହେଲେ କିଛି କର୍ପୋରେଟର ମୁହଁ ଫୁଲାଇବାରୁ ଏହା ଉପରେ ପୁଣି ଆଲୋଚନା କରାଯିବ ବୋଲି ଜଣାପଡ଼ିଛି ।
ବିଏମ୍ସିରେ ବର୍ତ୍ତମାନ ୬୭ ୱାର୍ଡ ରହିଛି । ୩ଟି ଜୋନ୍ ତଥା ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଓ ଉତ୍ତର ଜୋନ୍ରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକେ ରହୁଛନ୍ତି । ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ବିଏମ୍ସି ପକ୍ଷରୁ ଆଉ ୩ ଅତିରିକ୍ତ ଜୋନ୍ ଅଫିସ ଖୋଲିବ । ଏହି ଜୋନ୍ ଅଫିସରେ ଉତ୍ତର ଜୋନ୍-୧, ଉତ୍ତର ଜୋନ୍-୨, ଦକ୍ଷିଣ ପଶ୍ଚିମ-୧, ଦକ୍ଷିଣ ପଶ୍ଚିମ-୨, ଦକ୍ଷିଣ ପୂର୍ବ-୧ ଏବଂ ଦକ୍ଷିଣ ପୂର୍ବ-୨ରେ ବାଣ୍ଟି ହେବ । ନର୍ଥ ଜୋନ୍-୧ ରେ ୱାର୍ଡ ନଂ ୧, ୨, ୩, ୪, ୫, ୬, ୯, ୧୦, ୧୧, ୧୨, ୧୭ ଏବଂ ୧୮ ନଂ ୱାର୍ଡ ରହିବ ।
ସେହିପରି ନର୍ଥ ଜୋନ୍-୨ରେ ୱାର୍ଡ ୭, ୮, ୧୩, ୧୪, ୧୫, ୧୬, ୨୦, ୨୧, ୨୨, ୨୫, ୨୬ ଏବଂ ୨୭ ନମ୍ବର ୱାର୍ଡ ରଖିବାକୁ ସ୍ଥିର ହୋଇଛି । ସେହିପରି ଦକ୍ଷିଣ ପୂର୍ବ ଜୋନ-୧ରେ ୧୯, ୩୦, ୩୧, ୩୨, ୩୩, ୩୪, ୪୧, ୪୨ ଏବଂ ୪୩ ନମ୍ବର ୱାର୍ଡ ରହିବ । ଦକ୍ଷିଣ-ପୂର୍ବ ଜୋନ୍୨ରେ ୨୮, ୨୯, ୩୫, ୩୬, ୩୭, ୩୮, ୩୯, ୪୦, ୪୬ ଏବଂ ୪୭ ୱାର୍ଡ ରହିବ । ଏହା ସହ ଦକ୍ଷିଣ ପଶ୍ଚିମ ଜୋନ୍-୧ରେ ୪୪, ୪୫, ୫୩, ୫୪, ୫୫, ୫୬, ୫୭, ୫୮, ୫୯, ୬୦, ୬୧ ଏବଂ ୬୭ ୱାର୍ଡ ରହିବ । ଏହା ସହ ଦକ୍ଷିଣ ପଶ୍ଚିମ ଜୋନ୍-୨ରେ ୨୩, ୨୪, ୪୮, ୪୯, ୫୦, ୫୧, ୫୨, ୬୨, ୬୩, ୬୪, ୬୫ ଏବଂ ୬୬ ନମ୍ବର ୱାର୍ଡ ରହିବାକ ସ୍ଥିର ହୋଇଛି । ଗୋଟିଏ ୱାର୍ଡ ଅଫିସ ଉପରେ ପ୍ରାୟ ୨୪ଟି ୱାର୍ଡ ରହୁଥିବାରୁ ଚାପ ପଡୁଥିଲା । ତେଣୁ ଏହାକୁ ଅଲଗା କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି ।
ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୨୨ରେ ଆଉ ୩ ମଣ୍ଡଳ କାର୍ଯ୍ୟାଳୟ ଖୋଲିବାକୁ ପତ୍ର ଦିଆଯାଇଥିଲା । ଏହାକୁ ଆଧାର କରି ଆଉ ୩ ନୂଆ ଜୋନ୍ ଅଫିସ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ବିଏମ୍ସିରେ ଭୁବନେଶ୍ୱର ବ୍ଲକ୍ର ୨୬ଟି ଗାଁ ମିଶିବ । ଏସବୁ ଗାଁ ଭୁବନେଶ୍ୱର ବ୍ଲକ୍ ଅଧୀନରେ ଥିବା ୧୨ଟି ପଞ୍ଚାୟତର । ଏହା ମଧ୍ୟରେ ତମାଣ୍ଡୋ, ଧଉଳି, ଲିଙ୍ଗିପୁର, ଇତିପୁର, ରଘୁନାଥପୁର, ଦାରୁଠେଙ୍ଗ, ଅନ୍ଧାରୁଆ, ଦାସପୁର ଓ ଗୋଠପାଟଣା ଭଳି ପଞ୍ଚାୟତ ରହିଛି । ବାଲିଅନ୍ତା ବ୍ଲକର ଅଣ୍ଡିଲୋ ଏବଂ ଜଟଣୀର ଗୋଟିଏ ପଞ୍ଚାୟତ ବିଏମ୍ସି ଅଧୀନକୁ ଆସିବ । ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ଏହି ସବୁ ୱାର୍ଡ ମିଶିବ । ଏହା ପରେ ୱାର୍ଡ ପୁନର୍ଗଠନ କରାଯିବ । କେଉଁ ୱାର୍ଡରେ କେଉଁ ଅଞ୍ଚଳ ରହିବା ଚୂଡ଼ାନ୍ତ ହେବ ।
ବିଏମ୍ସି ଆବଶ୍ୟକୀୟ କର୍ମଚାରୀ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ପୂର୍ବ ସରକାରରେ ବିଏମ୍ସିରେ ଆଉ ୪୫୭ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ନିଷ୍ପତ୍ତି କରାଯାଇଥିଲା । ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲାନାହିଁ । ଏହି ନୂଆ ପଞ୍ଚାୟତର ଗ୍ରାମ ମିଶିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖାଲି ପଡ଼ିଥିବା ପଦବି ଏବଂ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି କରାଯିବ । ଏହି ପ୍ରସ୍ତାବ ଆଗତ ହେବା ପରେ କିଛି କର୍ପୋରେଟର ଅମଙ୍ଗ ହେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଜୋନ୍ ଅଫିସର ୱାର୍ଡରୁ ଦୂର ହେବା ଅଭିଯୋଗ ହୋଇଛି । ଏହାକୁ ନେଇ ଟଣା ଓଟରା ଲାଗିଥିଲା । ଯାହା ଫଳରେ ଏହାକୁ ଅନ୍ୟ ଦିନେ ଆଲୋଚନା ହେବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।


