
ବାଙ୍କୀ : ମହାନଦୀରେ ମହିଳା ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ। ବାଙ୍କୀ ମହାନଦୀରେ ନିଖୋଜ ମହିଳା ପୁରୀରୁ ଉଦ୍ଧାର। ପ୍ରେମିକ ସହ ଫେରାର ହୋଇଥିଲେ ସଂପୃକ୍ତ ମହିଳା। ଆଉ ମହାନଦୀରେ ବୁଡି ଯିବାର କାହାଣୀ ରଚିଥିଲେ। ଏପଟେ ୩ ଦିନ ଧରି ବାଙ୍କୀ, ଆଠଗଡ ଅଗ୍ନିଶମ ବିଭାଗ ସହ ବାଙ୍କୀ ପୋଲିସ ଓ ଓଡ୍ରାଫ ଟିମ୍ ମହାନଦୀରେ ନିଖୋଜ ମହିଳାଙ୍କୁ ଖୋଜାଖୋଜି କରୁଛନ୍ତି ।
ସେପଟେ ମହିଳାଙ୍କୁ ଉଦ୍ଧାର କରିଛି ପୁରୀ ଟାଉନ ଥାନା ପୋଲିସ । ମହିଳାଙ୍କ ପରିବାର ଲୋକଙ୍କୁ ଏନେଇ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ମହିଳା ଜଣକ ନିଖୋଜର ବାହାନା କରିଥିଲେ। ଗତ ରବିବାର ଭୋରରୁ ଖୁଦୁରୁକୁଣି ପୂଜା ପରେ ମହାନଦୀ ଦୁହୁରୀ ଭସାଇବାକୁ ଯାଇ ନିଖୋଜ ହୋଇଯାଇଥିବା ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ସେ ପୁରୀ ଚୁଡଙ୍ଗ ସାହିରେ ପ୍ରେମିକ ସହିତ ରହୁଥିଲେ। ପ୍ରେମିକ ଜଣକ ବିବାହିତ ବୋଲି ଜଣାପଡିଛି। ଅନେକ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲେ । ତେଣୁ ଏଭଳି ଏକ ମିଛ କାହାଣୀ ରଚିଥିଲେ ସଂପୃକ୍ତ ମହିଳା ।