ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଲକ୍ଷ୍ୟରେ ନୟାଗଡ଼ର ସାମଗ୍ରିକ ବିକାଶ ପାଇଁ ୨୫ଟି ପ୍ରମୁଖ ପ୍ରକଳ୍ପ କାର୍ୟ୍ୟକାରିତା ଉପରେ ଆଲୋଚନା
ଯୋଗାଯୋଗ, ପର୍ୟ୍ୟଟନ, ଶିଳ୍ପ, କୃଷି ଓ ଜନସେବା ଭିତ୍ତିଭୂମିର ହେବ ଅଧିକ ସୁଦୃଢ଼ୀକରଣ
ଭୁବନେଶ୍ୱର, ୬ ଅକ୍ଟୋବର, ୨୦୨୬:
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଆର୍ଥିକ ପରିଚାଳନା, ବ୍ୟୟ ଅଗ୍ରଗତି, କର୍ମଚାରୀ ସାମାଜିକ ସୁରକ୍ଷା, ନ୍ୟାୟିକ ଆଦେଶର ଅନୁପାଳନ ଓ ଶୀଘ୍ର କାର୍ୟ୍ୟକାରିତା ଏବଂ ନୟାଗଡ଼ ଜିଲ୍ଲାର ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।
ବୈଠକରେ ଗତ ସେପ୍ଟେମ୍ବର ମାସ ଓ ଅକ୍ଟୋବର ମାସରେ ଅଦ୍ୟାବଧି ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତା ଓ ଅଗ୍ରଗତି ସମ୍ପର୍କରେ ଶ୍ରୀମତୀ ଗର୍ଗ ସଚିବସ୍ତରୀୟ ବୈଠକରେ ଆଲୋକପାତ କରିଥିଲେ । ପର୍ୟ୍ୟଟନ, ଶିଳ୍ପ ଓ ନିବେଶ, ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ନିଯୁକ୍ତି, କୃଷି ଓ ଶିକ୍ଷା କ୍ଷେତ୍ରରେ ସଫଳତା ସଂପର୍କରେ ଆଲୋଚନା କରି ଆଗାମୀ ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ସଦ୍ୟ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାରରେ ବିପୁଳ ନିବେଶ ଆଗ୍ରହ, ୟୁଏଇ ଗସ୍ତ ସମୟରେ ୨ ଲକ୍ଷ କୋଟିରୁ ଅଧିକ ପ୍ରସ୍ତାବିତ ନିବେଶ, ଉଚ୍ଚ କ୍ଷମତା ସଂପନ୍ନ କମିଟିରେ ୨୭ଟି ବୃହତ୍ ଶିଳ୍ପ ପ୍ରକଳ୍ପର ଅନୁମୋଦନ, ପରିବେଶ ସୁରକ୍ଷା ଓ ବୃକ୍ଷରୋପଣରେ ଉଲ୍ଲେଖନୀୟ ସଫଳତା, ୧,୧୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଏବଂ ୪୧ ଲକ୍ଷରୁ ଅଧିକ କୃଷକଙ୍କୁ ସିଏମ୍-କିଷାନ ଯୋଜନାରେ ୮୩୩ କୋଟିରୁ ଅଧିକ ସହାୟତା ପ୍ରଦାନ ଭଳି ପଦକ୍ଷେପ ରାଜ୍ୟର ବିକାଶ ଯାତ୍ରାକୁ ଆହୁରି ସୁଦୃଢ଼ କରିଛି ବୋଲି ମୁଖ୍ୟ ଶାସନ ସଚିବ ବୈଠକ ଆରମ୍ଭରେ ବିବରଣୀ ପ୍ରଦାନ କରିଥିଲେ । ଗତ ସେପ୍ଟେମ୍ବର ମାସରେ ରାଜ୍ୟରେ ଲଘୁଚାପ, ଗଭୀର ଅବପାତ ଏବଂ ଏହା ଜନିତ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାରେ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗ ଓ ଭୂମିକାକୁ ପ୍ରଶଂସା କରାଯାଇଥିଲା ।
ବୈଠକରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ରଥ ଆଭାସୀ ମାଧ୍ୟମରେ ଯୋଗଦେଇ ବିକଶିତ ଓଡ଼ିଶା-୨୦୩୬ ତଥା ବିକଶିତ ଭାରତ-୨୦୪୭ ଆଭିମୁଖ୍ୟରେ ନୟାଗଡ଼ ଜିଲ୍ଲାକୁ ସମୃଦ୍ଧ କରିବା ଲକ୍ଷ୍ୟରେ “ବିକାଶ ପଥେ ନୟାଗଡ଼” ସମ୍ପର୍କିତ ଏକ ଉପସ୍ଥାପନାରେ ୨୫ଟି ପ୍ରମୁଖ ପ୍ରକଳ୍ପ କାର୍ୟ୍ୟକାରିତା ନେଇ କାର୍ୟ୍ୟପନ୍ଥା(ରୋଡ୍ ମ୍ୟାପ୍) ଉପସ୍ଥାପନ କରିଥିଲେ । ଜିଲ୍ଲାରେ ସଡ଼କ, ରେଳ ଯୋଗାଯୋଗ, ପାନୀୟଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ, ପର୍ୟ୍ୟଟନ ଓ ଐତିହ୍ୟ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରର ଚାଲୁ ରହିଥିବା ଓ ପ୍ରସ୍ତାବିତ ପ୍ରକଳ୍ପର ଅଗ୍ରଗତି ଉପରେ ସେ ଆଲୋକପାତ କରିଥିଲେ । ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥର ଉନ୍ନତିକରଣ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସମ୍ପୂର୍ଣ୍ଣ କରାଯିବା, ଭାପୁରରେ ହେଲିପ୍ୟାଡ୍, ସମଗ୍ର ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ ସଂଯୋଗ, ଯାତାୟାତ ପରିଚାଳନା ବ୍ୟବସ୍ଥା ଏବଂ ସମସ୍ତଙ୍କ ପାଇଁ ପାନୀୟଜଳ ଯୋଗାଣ ଭଳି ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାର ଯୋଗାଯୋଗ ଓ ମୌଳିକ ସୁବିଧାକୁ ସୁଦୃଢ଼ କରାଯିବା ନେଇ ସେ ଆଲୋଚନା କରିଥିଲେ ।
ଦଶପଲ୍ଲା ଓ ଖଣ୍ଡପଡ଼ାରେ ବିଦ୍ୟୁତ ଗ୍ରୀଡ୍ ଉପକେନ୍ଦ୍ର, ନୟାଗଡ଼ରେ ହୋମିଓପାଥି ମହାବିଦ୍ୟାଳୟ, ଦଶପଲ୍ଲାରେ ଚିକିତ୍ସା କେନ୍ଦ୍ର ଓ ରଣପୁରରେ ହକି ଷ୍ଟାଡିୟମ ଭଳି ପ୍ରକଳ୍ପ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିସହ ନୀଳମାଧବ ମନ୍ଦିରକୁ ବିଶ୍ୱସ୍ତରୀୟ ପର୍ୟ୍ୟଟନସ୍ଥଳୀ ଭାବେ ବିକଶିତ କରିବା, କଣ୍ଟିଲୋରେ ମହାନଦୀ ନଦୀତଟ ବିକାଶ, କୁଆଁରିଆ ଉଦ୍ୟାନର ଉନ୍ନତୀକରଣ ଏବଂ କାଳିଆପଲ୍ଲୀ ଗ୍ରାମକୁ ଐତିହ୍ୟ ପର୍ୟ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଭଳି ପଦକ୍ଷେପ ନୟାଗଡ଼ର ପର୍ୟ୍ୟଟନ ସମ୍ଭାବନାକୁ ନୂଆ ଦିଗ ଦେବ ବୋଲି ଆଲୋକପାତ କରାଯାଇଛି । ଶିଳ୍ପ ଓ ରୋଜଗାର ସୃଷ୍ଟି କ୍ଷେତ୍ରରେ ନୂତନ ଚିନି କାରଖାନା, ଦଶପଲ୍ଲାରେ ରେଳ ପ୍ରଯୁକ୍ତି ପାର୍କ, କୃଷି ଗୋଦାମ ଭିତ୍ତିଭୂମି ଏବଂ ମୁଗ ଡାଲି ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା ଉପରେ ଗୁରୁତ୍ୱ ରହିଛି । ବୃହତ୍ତର ଜଳସେଚନ ପାଇଁ ବୃତ୍ତାଙ୍ଗ ଜଳସେଚନ ପ୍ରକଳ୍ପ, ନୂତନ ଜିଲ୍ଲାପାଳ କାର୍ୟ୍ୟାଳୟ ପରିସର ଓ ପରିପଥ ଭବନ, ମହିଳା ସଶକ୍ତିକରଣ ଓ ଦକ୍ଷତା ବିକାଶ କେନ୍ଦ୍ର, ଗ୍ରାମ ପଞ୍ଚାୟତ ପାଠାଗାର ଏବଂ କୃଷି ଉଦ୍ୟୋଗୀ ବିକାଶ କେନ୍ଦ୍ର ଭଳି ପ୍ରକଳ୍ପ ମାଧ୍ୟମରେ ଜୀବିକା, ଶିକ୍ଷା, ମହିଳା ସଶକ୍ତୀକରଣ ଓ କୃଷି ଉଦ୍ୟୋଗକୁ ଆହୁରି ସୁଦୃଢ଼ କରାଯିବା ନେଇ ବୈଠକରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ନୟାଗଡ଼ର ବିକାଶ ପାଇଁ ଏହି ସମନ୍ୱିତ ପ୍ରକଳ୍ପଗୁଡ଼ିକ ଜିଲ୍ଲାର ଯୋଗାଯୋଗ, ଅର୍ଥନୀତି, ପର୍ୟ୍ୟଟନ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା କ୍ଷେତ୍ରକୁ ନୂତନ ପ୍ରଗତି ଦେବ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲାପାଳଙ୍କ ବିକାଶମୂଳକ ଉପସ୍ଥାପନା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ପ୍ରକଳ୍ପଗୁଡ଼ିକର କାର୍ୟ୍ୟକାରିତା ନେଇ ସେମାନଙ୍କର ପରାମର୍ଶ ଦେଇଥିଲେ ।
ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂପର୍କିତ ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ବଜେଟ୍ ପ୍ରାବଧାନ ଅନୁସାରେ କାର୍ୟ୍ୟ ଅଗ୍ରଗତି, ରାଜସ୍ୱ ଆଦାୟ ବୃଦ୍ଧି ଓ ତଦନୁସାରେ ବ୍ୟୟ ହାର ବୃଦ୍ଧି କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେବା ସହ ନିୟମିତ ବିଭାଗୀୟ ସମୀକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶର ତ୍ୱରିତ ଓ ପ୍ରଭାବୀ କାର୍ୟ୍ୟକାରିତା ତଥା ଅନୁପାଳନ ମାଧ୍ୟମରେ ଅବମାନନା ମାମଲା ହ୍ରାସ କରିବା, ଅନାବଶ୍ୟକ ବିଳମ୍ବ ରୋକିବା ଏବଂ ଦାୟିତ୍ୱ ନିର୍ଦ୍ଧାରଣ ଉପରେ ଆଇନ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ