ମୋହନ, ଓଡ଼ିଶାକୁ କରୁଛନ୍ତି ଦହନ – ପ୍ରଦେଶ ଯୁବ କଂଗ୍ରେସ ସଭାପତି

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହ ବିଭାଗ ଚଳାଇବାରେ ସଂପୂର୍ଣ୍ଣ ଅସମର୍ଥ ହୋଇଥିବା ପ୍ରମାଣିତ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଅଭିଯୋଗ କରିବା ସହ ଆଜି ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ଓଡ଼ିଶା ସରକାରଙ୍କର ୪୪ଟି ମୁଖ୍ୟ ବିଭାଗ ମଧ୍ୟରୁ ଗୃହ ବିଭାଗଟି ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଅନିୟନ୍ତ୍ରିତ ଅପରାଧ ପାଇଁ ଓଡ଼ିଶାବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ମାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଦକ, ନିଶ୍ଚଳ, ନିଦାବିଷ୍ଣୁ ଓ ଅପ୍ରଭାବିତ ହୋଇ ବସିଛନ୍ତି । ଓଡ଼ିଶାବାସୀଙ୍କର ଯନ୍ତ୍ରଣା ମୁଖ୍ୟମନ୍ତ୍ରୀଙ୍କର ବିବେକ ଓ ହୃଦୟକୁ ପ୍ରଭାବିତ କରିପାରୁ ନାହିଁ ।
ଶ୍ରୀ ପାତ୍ର କହିଛନ୍ତି ଯେ ଆମ ମୁଖ୍ୟମନ୍ତ୍ରୀ ମୋହନ, ଓଡ଼ିଶାକୁ କରୁଛନ୍ତି ଦହନ । ଧଉଳିଗିରିର ନାବାଳିକା ଦୁଷ୍କର୍ମ ଘଟଣା ଓଡ଼ିଶାରେ ପର୍ଯ୍ୟଟନସ୍ଥଳ ମାନଙ୍କରେ ମହିଳା ନିରାପତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଧଉଳି ପାହାଡ଼ ତଳେ ଥାନା ଏବଂ ଥାନା ପାଖରୁ ଯଦି ଜଣେ ମହିଳାଙ୍କୁ ଭିଡ଼ି ନେଇ ଗଣଦୁଷ୍କର୍ମ କରାଯାଉଛି ତେବେ ମାଲକାନଗିରି ଓ ମୟୁରଭଞ୍ଜର ପର୍ଯ୍ୟଟନ ସ୍ଥଳରେ ମହିଳାଙ୍କର ସୁରକ୍ଷା ବ୍ୟବସ୍ଥା କ’ଣ ଥିବା ତାହା ଚିନ୍ତାର ବିଷୟ । ମୋହନ ସରକାର ଆସିବାପରେ ୪୦ ହଜାର ମହିଳା ଅତ୍ୟାଚାର କେସ ଦରଜ ହୋଇଥିବା ବେଳେ ୪୦ଟା କେସର ଅପରାଧିଙ୍କୁ ଦଣ୍ଡ ଦିଆଯାଇ ପାରିନି । ବିରୋଧି ଦଳ ପ୍ରଶ୍ନ କଲେ, ଆନ୍ଦୋଳନ କଲେ ପୋଲିସ ଲଗାଇ ଦମନ କରାଯାଉଛି । ମାତ୍ର ପରିସ୍ଥିତିକୁ ସୁଧାରିବାପାଇଁ ସରକାର ପ୍ରଚେଷ୍ଟା କରୁନାହାନ୍ତି । ଯେଉଁଦିନ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରିଥିଲେ ସେହିଦିନ ମଧ୍ୟ ଭୁବନେଶ୍ୱରରେ ହତ୍ୟାକାଣ୍ଡ ହୋଇଥିଲା । ଓଡ଼ିଶାରେ ଭାରତୀୟ ଜନତାପାର୍ଟି ଶାସନରେ ମହିଳାଙ୍କ ଉପରେ ୩୭,୬୧୧ ଟି ଅପରାଧିକ ଘଟଣା ଘଟିବାର କେସ ଦରଜ ହୋଇଛି । ୮୨୭୭ ମହିଳାଙ୍କୁ ଅପହରଣ କରାଯାଇଛି । ୨୦୯୩୩ ଜଣଙ୍କୁ ଦୁଷ୍କର୍ମ କରାଯିବା ସହ ୧୨୭୮ ଜଣଙ୍କୁ ଯୌନଉତ୍ପୀଡ଼ ଦିଆଯାଇଛି । ଗୋଟେ ଦିନରେ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେବା ତଥ୍ୟ ମଧ୍ୟ ରହିଛି । ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, ୟୁନିଭରସିଟି, ହଷ୍ଟେଲ, ଆଶ୍ରମରେ ମଧ୍ୟ ଛାତ୍ରଛାତ୍ରୀ ସୁରକ୍ଷିତ ନାହାନ୍ତି । ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେଉଛି । ଭୁବନେଶ୍ୱରରେ ୬୭ ଟ ୱାର୍ଡରେ ଧଳା ଜହର କାରବାର ହେଉଛି । ପୋଲିସ ଜାଣି ନଜାଣିବାର ଭୂମିକା କରୁଛି । ୬୦ ହଜାର ମହିଳା ଓ ଶିଶୁ ନିଖୋଜ ହୋଇଥିବା ବେଳେ ଏ ସରକାର ସେମାନଙ୍କୁ ଠାବ କରିବାର ଦାୟିତ୍ୱ ନେଉନାହାନ୍ତି ।
ଭୁବନେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ କହିଥିଲେ ଯେ ବିଜେପି ରାମଙ୍କୁ ଜପକରି ରାବଣର ପକ୍ଷ ନେଉଛି । ଏବେ ଓଡ଼ିଶା ରାବଣ, ଦୁଃଶାସନ, ଦୁର୍ଯ୍ୟୋଧନ, ମହିଷାସୁରଙ୍କ ଚରାଭୁଇଁ ପାଲଟିଛି । ଏ ରାଜ୍ୟରେ ମା ସୀତାଙ୍କ ପରି ହଜାର ହଜାର ମହିଳା ରାବଣ ହାବୁଡ଼ରେ ପଡ଼ୁଛନ୍ତି । କିନ୍ତୁ ରାମନାମ ଜପକରୁଥିବା ବିଜେପି ଓ ବିଜେପି ସରକାରଏହି ମହିଳାମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ ନୁହଁନ୍ତି । ଏ ପର୍ଯ୍ୟନ୍ତ ଓଡ଼ିଆ ଅଫିସରକୁ ମରଣାନ୍ତକ ଆକ୍ରମଣ କରିଥିବା ପୂର୍ବତନ ରାଜ୍ୟପାଳଙ୍କ ପୁଅ ଗିରଫ ହୋଇପାରିଲେ ନାହିଁ । ଏଫଏମ କଲେଜ ପୀଡ଼ିତାଙ୍କ ମୃତ୍ୟୁ ପଛରେ ବିଜେପିର ସାମୁଖ୍ୟ ସଂଗଠନର ସଂପୂର୍ଣ୍ଣ ହାତ ରହିଥିବା ସ୍ପଷ୍ଟ ହୋଇପଡ଼ିଛି । ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ, ତାଳଚେର ଗଣଦୁଷ୍କର୍ମ ଓ ହତ୍ୟା, କେନ୍ଦୁଝର ଗଣଦୁଷ୍କର୍ମ, ରେମୁଣାରେ ଆଦିବାସୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପ୍ରଭୃତି ଘଟଣାରେ ଓଡ଼ିଶାରେ ମହିଳାମାନଙ୍କର ଅବସ୍ଥା କଣ ତାହା ପ୍ରମାଣିତ ହୋଇପଡ଼ୁଛି । ସେହିପରି ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଉଥିବା ବେଳେ ପ୍ରଶାସନ ନୀରବ ରହୁଛି । ସୁତରାଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର କ୍ଷମତାରେ ରହିବାର ନୈତିକ ଅଧିକାର ନାହିଁ ।
ଆଜିର କାର୍ଯ୍ୟକ୍ରମରେ ପୋଲିସ ଓ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ୧ ଘଂଟା ଧରି ଠେଲାପେଲା ହେବାପରେ ପୋଲିସ ଯୁବ କଂଗ୍ରେସ କର୍ମୀମାନଙ୍କୁ ସେଠାରୁ ଭ୍ୟାନ ଯୋଗେ ଉଠାଇନେଇଥିଲା । ଆନ୍ଦୋଳନ ସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, ସୁଦିପ ସାମଲ, ସତ୍ୟଜିତ ପଟ୍ଟନାୟକ, ଅଭିଜିତ ଜେନା, ଜାଭେଦ ଅକତାର, ମହମ୍ମଦ ଗୁଲଫାମ, ଅମରେଶ ପରିଡ଼ା, କେଦାର ଦଳାଇ, ଶିଳ୍ପିଶ୍ରୀ ହରିଚନ୍ଦନ, ଲକ୍ଷ୍ମୀପ୍ରିୟା ନାୟକ, ଆଲୋକ ଦାସ, ସାହାରୁଖ ଖାନ, ବିଶ୍ୱରଞ୍ଜନ ମିଶ୍ର, ବଳରାମ ନନ୍ଦ, ବିଶ୍ୱଭୂଷଣ ମହାପାତ୍ର, ସୁରଜ ରାଉତ, ସଂଦୀପ ରାଉତରାୟ, ସୁନିଲ ସାହୁ ଗାନ୍ଧୀ, ସୌମ୍ୟ ରଞ୍ଜନ ବରାଳ, ପ୍ରଶାନ୍ତ ରାଉତ, ସୌରଭ ପଟ୍ଟନାୟକ, ସାଇ ରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ପରମାଣିକ, ବିଜୟ ସାହୁ, ରାଜେଶ ଦାସ, ରାଜେଶ ବେହେରା, ସୁସ୍ମିତା ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ