
ରମାଦେବୀ ବିଶ୍ୱବିଦ୍ୟାଳୟରେ ବାଜିମାତ କରିଛି ବିଜୁ ଛାତ୍ର ଜନତା ଦଳ ବା ବିସିଜେଡି। ଦଳର ସଭାପତି ପ୍ରାର୍ଥୀ ସୋନାଲି ବେହେରା ଏବିଭିପିର ସବୁ ରଣନୀତିକୁ ଫିକା କରି ବିଜୟ ଟୀକା ପିନ୍ଧିଛନ୍ତି।
ଆଜି ସକାଳୁ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ ଛକାପଞ୍ଝା ଲାଗି ରହିଥିଲା। ହେଲେ ସନ୍ଧ୍ୟାରେ ବିସିଜେଡିର ସୋନାଲି ବେହେରା କମାଲ କରିଦେଇଛନ୍ତି। ସେ ଏବିଭିପିର ପ୍ରତୀକ୍ଷା ଦାଶ ମହାପାତ୍ରଙ୍କୁ ହରାଇ ଦେଇଛନ୍ତି।
ରମାଦେବୀ ଭୋଟିଂ ବେଳେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇ ନେଇଥିଲା ପୁଲିସ। ଇପ୍ସିତା ଏବିଭିପିର ସଭାପତି ପ୍ରାର୍ଥୀ ଓ ଅନ୍ୟ କିଛି ଛାତ୍ରୀଙ୍କୁ ଅସଦାଚରଣ ସହିତ ଧସ୍ତାଧସ୍ତି କରିଥିବା ନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା।
ଅନ୍ୟପକ୍ଷରେ ଭୋଟ୍ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ସକାଳେ BCJD ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଏବିଭିପି ପ୍ରାର୍ଥୀମାନେ ଛାତ୍ରୀମାନଙ୍କୁ ଭୋଟ୍ ପାଇବା ପାଇଁ ଟଙ୍କା ବାଣ୍ଟିଛନ୍ତି। ଏବିଭିପି ପ୍ରାର୍ଥୀମାନେ ହଷ୍ଟେଲ ଯାଇ ଛାତ୍ରୀମାନଙ୍କୁ ଟଙ୍କା ବାଣ୍ଟିଥିବା BCJD ପ୍ରାର୍ଥୀ ଅଭିଯୋଗ କରିଥିଲେ।
ତେବେ ସେମାନଙ୍କର ଏହି ଅଭିଯୋଗକୁ ଖଣ୍ଡନ କରି ଏବିଭିପିର ଜଣେ ପ୍ରାର୍ଥୀ କହିଥିଲେ ଯେ ଆମେ ଟଙ୍କାପଇସା ଦେବାରେ ବିଶ୍ୱାସ କରୁନା। BCJD ରମାଦେବୀ ବିଶ୍ୱବିଦ୍ୟାଳୟକୁ ତା’ର ଗଡ଼ ବୋଲି କୁହୁଥିବା ବେଳେ ହାରିଯିବା ଭୟରେ ଏମିତି କଥା କହୁଛି।
ବିସିଜେଡି ପାଇଁ ରମାଦେବୀ ସମ୍ମାନର ଲଢ଼େଇ ଭାବେ ଉଭା ହୋଇଥିଲା। ଏବେ ବିସିଜେଡି ସମ୍ମାନ ରଖିବାକୁ ସକ୍ଷମ ହୋଇଛି।






