
ରାଇକିଆ, ୧୫/୦୫ : ନୂତନ ଶିକ୍ଷା ନୀତି (ଏନ ଇ ପି ୨୦୨୦) ଅନୁଯାୟୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଉମାକାନ୍ତ ରଥଙ୍କ ମାର୍ଗଦର୍ଶନରେ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ରାଇକିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ପ୍ରଶିକ୍ଷଣ କାଳୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ବ୍ୟବସ୍ଥା ଓ ସରକାରୀ ଯୋଜନାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ରାଇକିଆ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ, ଓଡିଶା ଜୀବିକା ମିଶନ ସଂଯୋଜକ ଶ୍ରୀ ଜୟଦେବ ପ୍ରଧାନ, ବ୍ଲକ ସଂଯୋଜକ କମଲ ପ୍ରସାଦ ନାୟକ ଉପସ୍ଥିତ ରହି ପଞ୍ଚାୟତ ସମିତି ବ୍ୟବସ୍ଥାର ଗୁରୁତ୍ୱ ଓ ଗ୍ରାମୀଣ ବିକାଶରେ ଏହାର ଭୂମିକା ବିଷୟରେ ମତାମତ ପ୍ରଦାନ କରିଥିଲେ।
ବିଶେଷକରି ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଣ୍ଠି ବିନିଯୋଗ, ଗ୍ରାମ ଉନ୍ନୟନ ପାଇଁ ଆସୁଥିବା ବିଭିନ୍ନ ଯୋଜନା ଏବଂ ସେହି ପାଣ୍ଠିର ସଠିକ୍ ବ୍ୟବହାର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବକ୍ତବ୍ୟ ରଖିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ପଞ୍ଚାୟତ ସମିତି ସ୍ତରରେ ଆର୍ଥିକ ପରିଚାଳନା ଓ ବିକାଶମୂଳକ କାର୍ଯ୍ୟଧାରା ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।
ଜୀବନ ଜ୍ୟୋତି ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସ୍ଥାନୀୟ ପ୍ରଶାସନର କାର୍ଯ୍ୟଧାରା ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ଅର୍ଜନ କରିଥିଲେ। ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳି ଗନ୍ତାୟତ ଙ୍କ ନେତୃତ୍ୱ ରେ ଅର୍ଥନୀତି ବିଭାଗ ର ବିଭାଗର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମସ୍ତ ଛାତ୍ରଛାତ୍ରୀ ପଂଚାୟତ ସମିତି ସ୍ତରର କାର୍ଯ୍ୟପ୍ରଣାଳୀକୁ ନିକଟରୁ ଅବଲୋକନ କରି ପ୍ରଶାସନିକ ଓ ସାମାଜିକ ଜ୍ଞାନ ଅର୍ଜନ କରିଥିଲେ।
ନୁଆ ଶିକ୍ଷା ନୀତି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ପୁସ୍ତକୀୟ ଜ୍ଞାନ ସହ ପ୍ରାୟୋଗିକ ଶିକ୍ଷା ଓ କ୍ଷେତ୍ରସ୍ତରୀୟ ଅନୁଭୂତି ଦେବା ଲକ୍ଷ୍ୟରେ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶାସନିକ ଜ୍ଞାନ ବୃଦ୍ଧି ସହ କାର୍ଯ୍ୟପ୍ରଣାଳୀ ପ୍ରତି ଆଗ୍ରହ ସୃଷ୍ଟି କରିଥିବା ମତ ପ୍ରକାଶ ରହିଛି |
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା


